ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଶିକ୍ଷାନୀତିକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ପୋଖରିୟାଲ୍ ସୋଆ ବିଶ୍ୱବିଦ୍ୟାଳୟରେ ନିଜର ଅଭିଭାଷଣ ରଖିଛନ୍ତି।
“ଜୟ ଜବାନ, ଜୟ କିଷାନ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ। ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡ଼ିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡ଼ିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅନୁସନ୍ଧାନ ବିନା ଶିକ୍ଷା ସମ୍ଭବ ନୁହେଁ, ଏଭଳି ଦୁଇଟି ମହତ ଆହ୍ୱାନକୁ ନେଇ ଗଠିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସଶକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନେଇପାରିବ”, କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍।
ସୋମବାର ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଡକ୍ଟର ପୋଖରିୟାଲ୍ ନିଜର ଅଭିଭାଷଣ ରଖିବା ସମୟରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କ ଚିନ୍ତାଧାରା ଓ ତାଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ।
ଏହାସହିତ ଡକ୍ଟର ପୋଖରିୟାଲ୍ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଭାରତ ହେଉଛି ସାରା ବିଶ୍ୱର ଗୁରୁ। ଶିକ୍ଷା କ୍ଷେତ୍ରରେ ଭାରତ ସହ କାହାର ତୁଳନା ନାହିଁ। ନୂଆ ଭାରତ ପାଇଁ ନୂଆ ଶିକ୍ଷାନୀତିର ଆବଶ୍ୟକତା ରହିଛି। ଭାରତୀୟ ପରମ୍ପରା ହେଉଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ ପୁରା ସଂସାର ହେଉଛି ଆମ ପରିବାର। ପରିବାରରେ ଭଲ ପାଇବା ଥାଏ। ଭାରତୀୟମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ଅନ୍ୟର ସୁଖରେ ସୁଖୀ ହୋଇଥାନ୍ତି । ନୁଆ ଭାରତର ନୀତି ହେଉଛି ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ଶ୍ରେଷ୍ଠ ଭାରତ, ଏକ ଭାରତ ଏବଂ ସମୃଦ୍ଧ ଭାରତ।
ଦୀର୍ଘ ୩ ଦଶନ୍ଧି ପରେ ନୂଆ ଶିକ୍ଷାନୀତି ପ୍ରଣୟନ ହେବାକୁ ଯାଉଥିବା ବେଳେ ଏହାର ଆନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ରହିଛି ବୋଲି ସେ କହିଥିଲେ। ଭାରତୀୟ ଶିକ୍ଷାନୀତି ପ୍ରଣୟନ ହେବା ପୂର୍ବରୁ ଦେଶବ୍ୟାପୀ ପରାମର୍ଶ ଗ୍ରହଣ କରାଯାଇଛି। ଶିକ୍ଷାନୀତି ପାଇଁ ବିଶ୍ୱ ସ୍ତରରେ ପରାମର୍ଶ ନିଆଯାଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରୁ ୨.୨୫ ଲକ୍ଷ ପରାମର୍ଶ ବର୍ତମାନ ସୁଦ୍ଧା ମିଳିପାରିଛି। ତେଣୁ ଏହିସବୁ ପରାମର୍ଶକୁ ନେଇ ଖୁବ ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଣୟନ ହେବ ବୋଲି ଡକ୍ଟର ପୋଖରିୟାଲ୍ କହିଥିଲେ।
ଏଥିସହିତ ଡକ୍ଟର ପୋଖରିୟାଲ୍ କହିଥିଲେ ଭାରତରେ ଏବେ ୧୦୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ, ୪୫୦୦୦ ଡିଗ୍ରୀ କଲେଜ ଓ ୧୬ ଲକ୍ଷ ବିଦ୍ୟାଳୟ ରହିଥିବାବେଳେ ୧ କୋଟିରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି ଏବଂ ୩୩ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେଣୁ ଭାରତର ବିକାଶ ଯୁବପିଢ଼ିଙ୍କ ହାତରେ ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ଡକ୍ଟର ପୋଖରିୟାଲଙ୍କ ଦ୍ୱାରା ଲିଖିତ କିଛି ଗଳ୍ପକୁ ନେଇ ସଂକଳିତ ‘ସମୟର ଚିତ୍ରଶିଳ୍ପୀ’ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏହି ସମସ୍ତ ଗଳ୍ପକୁ ସୋଆର ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ ଓଡ଼ିଆରେ ଅନୁବାଦ କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ସାହିତ୍ୟିକ ଡକ୍ଟର ବିଭୁତି ପଟ୍ଟନାୟକ, ଡକ୍ଟର ଗୌରହରି ଦାସ, ଡକ୍ଟର ଯତିନ୍ଦ୍ର କୁମାର ନାୟକଙ୍କ ସମେତ ପୁସ୍ତକର ଅନୁବାଦକ ଡକ୍ଟର ମହେନ୍ଦ୍ର ପ୍ରସାଦ, ପ୍ରମେୟର ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଇଣ୍ଡିଆ ଟୁଡେର କନ୍ସଲଟିଙ୍ଗ୍ ଏଡିଟର୍ ଅଜିତ୍ କୁମାର ଝା ଏବଂ ଡକ୍ଟର ପୋଖରିୟାଲଙ୍କ ପରାମର୍ଶଦାତା ରାଜେଶ ନାଥାନି ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୋଆ ପରିଦର୍ଶନରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ପୋଖରିୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ବୁଲି ଦେଖିଥିଲେ। ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗ ଏବଂ ବର୍ନସ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏଥିସହିତ ନୂତନ ଭାବେ ନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାରର ଏମରଜେନ୍ସି, ଟ୍ରମା ଆଇସିୟୁ ଓ ରେଡିଓଲୋଜି ବିଭାଗକୁ ମଧ୍ୟ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଡକ୍ଟର ପୋଖରିୟାଲ୍ ନୂତନ ପିଜି ହଷ୍ଟେଲ୍ ଏବଂ କନଭେନସନ୍ ସେଣ୍ଟରର ମଧ୍ୟ ଉଦଘାଟନ୍ କରିଥିଲେ।

















