ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫-ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫-ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ଟେକ୍ନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ମଧ୍ୟରେ କେନ୍ଦ୍ର ସରକାର ୫-ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫-ଜି ସମ୍ପର୍କରେ ସୂଚନା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫-ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ। ସୋଆ ଏହାର ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଶ୍ୱର ମାତ୍ର ୫ଟି ଦେଶରେ ‘ଏଣ୍ଡ ଟୁ ଏଣ୍ଡ ଟେକନୋଲୋଜି’ ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏହା ଭାରତରେ ଉପଲବ୍ଧ ହେବ ମନ୍ତ୍ରୀ କହିଥିଲେ।  

୫-ଜି ଆରମ୍ଭ କରିବା ପାଇଁ ସରକାରଙ୍କ ପାଖରେ ତିନୋଟି ମୁଖ୍ୟ ପ୍ରତିବନ୍ଧକ ରହିଥିଲା। ସେଗୁଡ଼ିକ ହେଲା ଷ୍ଟେବଲ୍ କୋର, ଷ୍ଟେବଲ୍ ରେଡିଓ ଏବଂ ଏସବୁକୁ ପରିଚାଳନା କରିବା। କିନ୍ତୁ ଏଥିରେ ଏବେ ସରକାରଙ୍କୁ ସଫଳତା ମିଳିଛି। ଆଇଆଇଟି ମାଡ୍ରାସରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଥିଲେ।

ସୋଆରେ ଏକ ସଫ୍ଟଓୟାର ଡେଭେଲପମେଣ୍ଟ ଲ୍ୟାବ ପ୍ରତିଷ୍ଠା ନେଇ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ପି କେ ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ।

Tags: #SOA #5G #SoftwareDevelopment #Labs #AswiniBaisnav

Comment