ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧ ମସିହା ସୁଦ୍ଧା ଭାରତରେ ୫ଜି ମୋବାଇଲ ସେବା ଉପଲବ୍ଧ ହେବ। ଆଗାମୀ ୬ ମାସ ମଧ୍ୟରେ ରିଲାଏନ୍ସ ଜିଓ ଏହି ସେବା ଆରମ୍ଭ କରିବ। ଏହା ଦ୍ଵାରା ଭାରତରେ ଡିଜିଟାଲ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆସିବ। ମଙ୍ଗଳବାର ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୦କୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି।

ଏହି ଅବସରରେ ମୁକେଶ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଭାରତ ଡିଜିଟାଲ ମାଧ୍ୟମ ସହ ସମସ୍ତ କ୍ଷେତ୍ରରେ ଯୋଡ଼ି ହୋଇପାରିଛି। ତେଣୁ ଏବେ ଭାରତରେ ହାଇସ୍ପିଡ୍ ୫ଜି ନେଟଓ୍ଵର୍କ ଜରୁରୀ ହୋଇପଡ଼ିଛି। ରିଲାଏନ୍ସ ଜିଓ ଏହାକୁ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଏହା ଡିଜିଟାଲ ଯୁଗରେ ଏକ ନୂଆ ବିପ୍ଳବ ସୃଷ୍ଟି କରିବ। ଏହି ସେବା ସମ୍ପୂର୍ଣ୍ଣ ଭାବେ ସ୍ଵଦେଶୀ ଜ୍ଞାନକୌଶଳ ଉପରେ ଆଧାରିତ ହେବ। ତେବେ ୫ଜି ସେବାକୁ ଉଚିତ ଦାମରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେଲେ ନୀତିଗତ ପରିବର୍ତ୍ତନର ଆବଶ୍ୟକତା ରହିଛି।ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ମିଶନକୁ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି, “ଦେଶରେ କୌଣସି ବିପର୍ଯ୍ୟୟ କିମ୍ବା କରୋନା ମହାମାରୀ ଭଳି ସଙ୍କଟ ସମୟରେ ଏହି ମିଶନ ଜରିଆରେ ସାଧାରଣ ଲୋକେ ବହୁଳ ମାତ୍ରାରେ ଉପକୃତ ହୋଇପାରିଛନ୍ତି। ଆଗକୁ ମଧ୍ୟ ଆମ ଦେଶ ଡିଜିଟାଲ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ। ଭାରତକୁ ଆଗକୁ ବଢ଼ିବାରେ କେହି ଅଟକାଇ ପାରିବେନାହିଁ।”

ଭାରତରେ ଏବେ ବି ୩୦୦ ମିଲିୟନ ଲୋକ ୨ଜି ଫୋନ ବ୍ୟବହାର କରୁଛନ୍ତି। ସେମାନଙ୍କୁ କମ୍ ଦାମରେ ଭଲ ସ୍ମାର୍ଟଫୋନଟିଏ ଦେବାକୁ ହେଲେ ତତ୍କାଳ ଯୋଜନା ଓ ପଦକ୍ଷେପ ନେବାକୁ ପଡ଼ିବ। ଏଥିସହ ଭାରତରେ ଖୁବଶୀଘ୍ର ୫ଜି ସେବା ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାଦ୍ଵାରା ଡିଜିଟାଲ କ୍ଷେତ୍ରରେ ଭାରତ ଆହୁରି ସୁଦୃଢ଼ ହୋଇପାରିବ ବୋଲି ମୁକେଶ ଅମ୍ବାନି ଆଶାବ୍ୟକ୍ତ କରିଛନ୍ତି।

Comment