ଓଡ଼ିଶାଲାଇଭ୍ ବ୍ୟୁରେ

ଏଣିକି ଅନଲାଇନ କିଣାକିଣି ହେବ ସହଜ। ମେଟା ଓ ଜିଓ ପ୍ଲାଟଫର୍ମସ୍‌ର ମିଳିତ ସହଯୋଗରେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଗ୍ରାହକମାନେ ନିଜର ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ମଧ୍ୟ ଜିଓମାର୍ଟରେ ସପିଙ୍ଗ କରିବାର ସୁବିଧା ପାଇପାରିବେ। ଏହି ସେବା ଦ୍ଵାରା ଗ୍ରାହକମାନେ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି କରିବା ସହ ଦେୟ ମଧ୍ୟ ପ୍ରଦାନ କରିପାରିବେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ, “ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି। ୨୦୨୦ ମସିହାରେ ଜିଓ ପ୍ଲାଟଫର୍ମସ୍ ଓ ମେଟା ସହଯୋଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା। ସେହି ସମୟରେ ଲୋକଙ୍କ ନିକଟରେ ସବୁ ପ୍ରକାରର ସେବା ଉପଲବ୍ଧ କରାଯାଇବାକୁ ଲକ୍ଷ୍ୟ ଥିଲା। ଲୋକଙ୍କୁ ଅନଲାଇନ ବ୍ୟବସାୟ ସହ ଯୋଡ଼ିବା ଏବଂ ସେମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ଅସୁବିଧାର ଅଭିନବ ସମାଧାନ ସୃଷ୍ଟି କରିବାକୁ ଯୋଜନା କରାଯାଇଥିଲା”

କୋଟି କୋଟି ଭାରତୀୟଙ୍କୁ ଅନଲାଇନ ସପିଙ୍ଗର ସରଳ ଓ ସହଜ ସୁବିଧା ପ୍ରଦାନ ଲାଗି ହ୍ୱାଟସ୍ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାକୁ ନେଇ ଆମେ ଉତ୍ସାହିତ ଅଛୁ। ଏଣିକି ହ୍ୱାଟସ୍‌ଆପ୍‌ ଜରିଆରେ ଗ୍ରାହକମାନେ ଚାଟ୍‌ରେ ରହି ମଧ୍ୟ ଜିଓମାର୍ଟରୁ ଗ୍ରୋସରି ସପିଙ୍ଗ୍ କରିପାରିବେ। ଏଭଳି ସୁବିଧା ଆଗାମୀ ଦିନରେ ଗ୍ରାହକଙ୍କ ମଧ୍ୟରେ ଆଦ୍ରୁତି ଲାଭ କରିବ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି। ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ସାରା ଦେଶରେ ବ୍ୟବସାୟମାନଙ୍କୁ ସେମାନଙ୍କ ଗ୍ରାହକଙ୍କ ସହ ଯୋଡ଼ିବାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Tags: #Jio #Reliance #JioMart #OnlineShopping #Grocery #Customer

Comment