ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
  • ଜାନୁଆରି ୧୨ ଯାଏଁ ଚାଲିବ ମେଳା
  • ଭାଗ ନେଇଛନ୍ତି ଦେଶ ବିଦେଶର ଶିଳ୍ପଦ୍ୟୋଗୀ
  • ଇରାନ୍‌ରୁ ୨୦ ଏବଂ ବାଂଲାଦେଶରୁ ୧୨ ଜଣ ଶିଳ୍ପଦ୍ୟୋଗୀ ସାମିଲ
  • ଯୁବ ଶିଳ୍ପଦ୍ୟୋଗୀ ସାମିଲ ହେବାକୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ତରଫରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦। ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଳା ୫ ଦିନ ଧରି ଚାଲିବ।

‘‘ଓଡ଼ିଶାରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟୁଛି। ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟ ବହୁତ ଆଗକୁ ଯାଇଛି। ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ପରିବେଶ ଅନୁକୂଳ ରହିଛି। ଯେଉଁ ଶିଳ୍ପଦ୍ୟୋଗୀମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ସ୍ୱାଗତ କରୁଛୁ। ବିଶେଷକରି ଯୁବ ଶିଳ୍ପଦ୍ୟୋଗୀମାନେ ଏହି ମେଳାରେ ସାମିଲ ହୋଇ ନିଜର ଉତ୍ପାଦକୁ ପ୍ରଦର୍ଶନ କରନ୍ତୁ। ଏହି ମେଳାରୁ ନୂଆ ଅଭିଜ୍ଞତା ହାସଲ କରନ୍ତୁ’’, ମେଳାକୁ ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଦେଶ ବିଦେଶର ଶଳ୍ପଦ୍ୟୋଗୀମାନେ ସାମିଲ ହୋଇଛନ୍ତି। ଇରାନରୁ ୨୦ ଏବଂ ବାଂଲାଦେଶରୁ ୧୨ ଜଣ ଶିଳ୍ପଦ୍ୟୋଗୀ ସାମିଲ ହେବା ସହ ସେମାନଙ୍କ ଉତ୍ପାଦ ଏଠାରେ ପ୍ରଦର୍ଶନ କରୁଛନ୍ତି। ଏହି ମେଳାରେ ୨୮୦ଟି ଷ୍ଟଲ ଖୋଲାଯାଇଛି।

‘‘ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆଗକୁ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଶିଳ୍ପ ସମୃଦ୍ଧ ହୋଇପାରିଛି। ୧୧ଟି ଅନୁନ୍ନତ ଜିଲ୍ଲାରେ ଶିଳ୍ପର ବିକାଶ ହୋଇଛି। ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ବହୁତ ଆଗକୁ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି’’, କହିଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଏହି ପାଞ୍ଚ ଦିନିଆ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ କରାଯିବ। ଏହାସହ B2B, B2C, B2G ବୈଠକ ମଧ୍ୟ ଅନୁଷ୍ଠିତ ହେବ।

‘‘ଶିଳ୍ପଦ୍ୟୋଗୀମାନଙ୍କୁ ରାଜ୍ୟ ସରକାର ସବୁବେଳେ ପ୍ରୋସାହନ ଦେଇ ଆସିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ କିପରି ଆଗକୁ ଯିବେ ସେନେଇ ସରକାର ସବୁବେଳେ ସାହଯୋଗର ହାତ ବଢ଼ାଇ ଆସିଛନ୍ତି। ଆଗକୁ ମଧ୍ୟ ଏହି ସହଯୋଗ ଜାରି ରହିବ’’, କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା।

ଏହି ବାଣିଜ୍ୟ ମେଳାରେ ଫୁଡ୍‌ କୋର୍ଟ ଖୋଲା ଯାଇଛି। ଏଠାରେ ଲୋକେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ପାରମ୍ପରିକ ଖାଦ୍ୟର ମଜା ନେଇ ପାରିବେ।

ଇରାନ୍‌ରୁ ଆସିଥିବା ଶିଳ୍ପଦ୍ୟୋଗୀ ଆଲି ଚେଗେନ୍‌ କହିଛନ୍ତି, ‘‘ଇରାନ୍‌ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ଭଲ ରହିଛି। ଓଡ଼ିଶା ସରକାର ଏହି ବାଣିଜ୍ୟ ମେଳାରେ ଯୋଗ ଦେବା ପାଇଁ ଆମକୁ ଆମନ୍ତ୍ରିତ କରିଥିଲେ। ଇରାନ୍‌ରୁ ୨୦ ଜଣ ଶିଳ୍ପଦ୍ୟୋଗୀ ଆସିଛନ୍ତି। ଏଠାକର ପରିବେଶକୁ ଦେଖିବକୁ ଏବଂ ସରକାରଙ୍କ ନୀତିକୁ ଅନୁଧ୍ୟାନ କରିବା ପରେ ଆମେ ଆଗକୁ ଆଗେଇବୁ।’’

ଏହି ମେଳାରେ ମୁଖ୍ୟମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ ଲୋଗୋ ଉନୋଚନ କରିଥିଲେ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

Comment