ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗାନ୍ଧୀଜୀଙ୍କ ଜନ୍ମ ୧୫୦ ବର୍ଷର ପୂର୍ତ୍ତି ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର। ବ୍ରିଟିଶ ଅମଳର ଗରାପୁର ଡାକ ବଙ୍ଗଳାର ନାଁ ପରିବର୍ତ୍ତନ ହୋଇ ଗାନ୍ଧୀ ସ୍ମାରକୀ ଭବନ ହେବ। ଏଥିସହ ଏକ ମ୍ୟୁଜିୟମ ମଧ୍ୟ ପ୍ରତିଷ୍ଠା ହେବ।। ଏହାଛଡା ଗାନ୍ଧିଜୀ କେନ୍ଦ୍ରାପଡ଼ା ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ଯାଇଥିଲେ ସେହି ସବୁ ସ୍ଥାନକୁ ଗାନ୍ଧୀ ସର୍କିଟ ସହିତ ସଂଯୋଗ କରାଯିବ।

କେନ୍ଦ୍ରାପଡା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଗରାପୁର ଡାକବଙ୍ଗଳା। ୧୯୩୪ ମସିହା ମେ ମାସ ରେ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରାପଡା ଆସିଥିବା ବେଳେ ଏହି ଡାକବଙ୍ଗଳାରେ ୩ ଦିନ ରହିଥିଲେ।

ତିନି ଦିନ ରହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ଚଳିତ ବର୍ଷକୁ ଭାରତ ସରକାର ଗାନ୍ଧୀଜୀଙ୍କ ଜନ୍ମ ୧୫୦ତମ ବାର୍ଷିକୀ ବର୍ଷ ଭାବରେ ପାଳନ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଗାନ୍ଧିଜୀଙ୍କ ଜନ୍ମ ୧୫୦ତମ ବାର୍ଷିକୀ ପାଳନ କରାଯାଉଛି।

ତେଣୁ ଗାନ୍ଧୀଙ୍କୁ ମନେ ପକାଇବା ପାଇଁ କେନ୍ଦ୍ରାପଡା ଡାକବଙ୍ଗଳାକୁ ଗାନ୍ଧୀ ଭବନରେ ପରିଣତ କରିବା ଓ ଏଠାରେ ଏକ ସଂଗ୍ରହାଳୟ ସ୍ଥାପନ କରାଯିବ। ଏହି ସବୁ କାର୍ଯ୍ୟ ରାଜ୍ୟ ପୂର୍ତ୍ତ ବିଭାଗ ଦ୍ୱାରା କରାଯିବ ବୋଲି ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀ ମଲ୍ଲିକ ମଙ୍ଗଳବାର ଗରାପୁର ଡାକବଙ୍ଗଳା ପରିଦର୍ଶନ କରିଥିଲେ।  ଏହି ଅବସରରେ ମନ୍ତ୍ରୀ ରାଜ୍ୟର ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ , କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ,ରାଜନଗର ବିଧାୟକ ଧୃବ ସାହୁ , ଜିଲ୍ଲା ପରିସଦ ସଭାପତି ମାନସ ପରିଡା , କେନ୍ଦ୍ରାପଡା ଵ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ସହିତ ଆଲୋଚନା କରିଛନ୍ତି।

Comment