ଅଶୋକ ବହିଦାର
ବଦଳି ଚାଲିଛି ବରଗଡ଼ ଧନୁଯାତ୍ରାର ପରିପାଟୀ। ହେଲେ କେତୋଟି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରାର ପୂର୍ବ ଗାରିମା ବଜାୟ ରହିଛି। ଏହି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରା ଏବେ ବି ଲୋକଙ୍କ ମନରେ ସାଇତା ହୋଇରହିଛି।
ଶୁଭସ୍ତମ୍ଭ ସ୍ଥାପନ
ଶୁଭସ୍ତମ୍ଭ ସ୍ଥାପନାରୁ ହିଁ ଧନୁଯାତ୍ରାର ଅୟମାରମ୍ଭ ହୋଇଥାଏ। ଧନୁଯାତ୍ରା ଆୟୋଜନର ଠିକ୍ ମାସକ ପୂର୍ବରୁ ପ୍ରତିବର୍ଷ ହାଟପଦାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ “ଶୁଭସ୍ତମ୍ଭ” ସ୍ଥାପନ କରାଯାଇଥାଏ। ଆୟୋଜନ କମିଟିର ସଭ୍ୟ, କିଛି କଳାକାର ଶୋଭାଯାତ୍ରାରେ ହାଟପଦାକୁ ଆସନ୍ତି। ହାଟପଦାବାସୀ ସେମାନଙ୍କୁ ସ୍ଵାଗତ କରି ପାଛୋଟି ନିଅନ୍ତି। ପୂଜକମାନେ କାଠନିର୍ମିତ ଏକ ସ୍ତମ୍ଭକୁ ପୂଜାର୍ଚ୍ଚନା କରନ୍ତି। ଆୟୋଜକମାନଙ୍କୁ ଆଶୀର୍ବାଦ କରନ୍ତି। ଧନୁଯାତ୍ରାର ସଫଳତାକୁ ନେଇ ଶୁଭ ମନାସିଥାନ୍ତି। ଶୁଭସ୍ତମ୍ଭ ସ୍ଥାପନର ପରବର୍ତ୍ତୀ ଦିନରୁ ଧନୁଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥାଏ।
ଉଦଘାଟନୀ ଶୋଭାଯାତ୍ରା
ବରଗଡ଼ ଧନୁଯାତ୍ରାର ପ୍ରମୁଖ ଆକର୍ଷଣ ହେଉଛି ଉଦଘାଟନୀ ଶୋଭାଯାତ୍ରା। ପ୍ରତିବର୍ଷ ଧନୁଯାତ୍ରା ଆରମ୍ଭରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ। ବରଗଡ଼ ତଲିପଡ଼ାର ଐତିହାସିକ ସମଲେଶ୍ଵରୀ ମନ୍ଦିରରୁ ବାହାରିଥାଏ ଏହି ଶୋଭାଯାତ୍ରା। ଉଗ୍ରସେନ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ନେତୃତ୍ଵରେ ଅନ୍ୟାନ୍ୟ ଚରିତ୍ରର କଳାକାରମାନେ ସାମୂହିକ ଭାବେ ମା ସମଲେଶ୍ଵରୀଙ୍କଠାରେ ଧନୁଯାତ୍ରାର ସଫଳତା ପାଇଁ ଆଶୀର୍ବାଦ କାମନା କରନ୍ତି। ମା’ଙ୍କଠାରୁ ଆଜ୍ଞା ନେଇ ଶୋଭାଯାତ୍ରାରେ ବାହାରିପଡ଼ନ୍ତି।
ଶୋଭାଯାତ୍ରା ପରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନର ଶୁଭଶଙ୍ଖ ବାଜିଉଠେ। ଉଗ୍ରେସନ ହାତୀ ପିଠିରେ ବସି, ପାତ୍ରମନ୍ତ୍ରୀଙ୍କ ସହିତ ଏକ ସୁଶୋଭିତ ପଟୁଆରରେ ବାହାରିପଡ଼ନ୍ତି ହାଟପଦାର ରାଜଦରବାର ମଞ୍ଚ ଅଭିମୁଖେ। ପଟୁଆରରେ ସାମିଲ ହୋଇଥାଆନ୍ତି ବିଭିନ୍ନ ପ୍ରକାରର ସାଂସ୍କୃତିକ ଦଳ। ବାଜା ଓ ଆତସବାଜିର ଶବ୍ଦ ସହିତ “ଉଗ୍ରସେନ” ମହାରାଜାଙ୍କର ଜୟଜୟକାର ଧ୍ଵନିରେ ବରଗଡ଼ ସହର କମ୍ପି ଉଠିଥାଏ। ରାସ୍ତାକଡରେ ଆଧୁନିକ ମଥୁରାନଗରୀର ପ୍ରଜାମାନେ ଛିଡ଼ା ହୋଇ ନିଜର ପ୍ରିୟ ମହାରାଜା ଉଗ୍ରସେନଙ୍କୁ ବିପୁଳ ସ୍ଵାଗତ ଜଣାଉଥାନ୍ତି। ଶୋଭାଯାତ୍ରା ଦରବାରକୁ ପହଞ୍ଚିବା ପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥାଏ। ତା’ ପରେ ଆରମ୍ଭ ହୋଇଯାଏ ପ୍ରଥମ ଦିବସର ନାଟ୍ୟଧାରା।
ଦେବକୀ ଓ ବସୁଦେବଙ୍କ ବିବାହ
ଧନୁଯାତ୍ରା ପୌରାଣିକ ବିଷୟବସ୍ତୁକୁ ନେଇ ଅଭିନୀତ ହୋଇଥାଏ। ଏଥିରେ ପଶ୍ଚିମ ଓଡ଼ିଶାର କେତୋଟି ପାରମ୍ପରିକ ରୀତିନୀତି ବା ଚଳଣି ଦେଖିବାକୁ ମିଳିଥାଏ। ଏହି ଲୌକିକ ଦୃଶ୍ୟର ସଂଯୋଜନା ଧନୁଯାତ୍ରାକୁ ଅପରପକ୍ଷରେ ଆହୁରି ଲୋକାଭିମୁଖୀ କରିବାରେ ସଫଳ ହୋଇଥାଏ। ସେଥିମଧ୍ୟରୁ “ଦେବକୀ ଓ ବସୁଦେବଙ୍କ ବିବାହ” ପ୍ରସଙ୍ଗ ଅନ୍ୟତମ। ମନ୍ଦିର ପରିସରର ଥିବା ବିବାହ ମଣ୍ଡପରେ ବିବାହ ଉତ୍ସବ ଆୟୋଜନ ହୋଇଥାଏ।
ସୁସଜ୍ଜିତ ବେଦୀରେ, ପୁରୋହିତଙ୍କ ଶ୍ଳୋକ ଉଚ୍ଚାରଣରେ ବାହାଘର ଜମିଥାଏ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ଶୈଳୀରେ ବସୁଦେବ, ଉଗ୍ରସେନଙ୍କ କନ୍ୟା ଦେବକୀଙ୍କୁ ବିବାହ କରିଥାନ୍ତି। ଏହି ବିବାହ ଉତ୍ସବରେ ନାଟକୀୟ ଚରିତ୍ରମାନଙ୍କ ସହିତ ନାଟକ ବାହାରେ ଥିବା ସବୁବର୍ଗର ଲୋକଙ୍କର ଭିଡ଼ ଜମିଥାଏ। ଶଙ୍ଖ, ହୁଳହୁଳି ଓ ପାରମ୍ପରିକ ବାଦ୍ୟର ଶବ୍ଦରେ କୋଳାହଳମୟ ହୋଇଉଠେ ମନ୍ଦିର ପରିସର। ଏହା ହେଉଛି ଲୋକନାଟକର ବିଶେଷତ୍ଵ।
ରାଜସ୍ଥାନରୁ ଆସନ୍ତି ହାତୀ
“ହାତୀ” ବିନା ବରଗଡ଼ର ଧନୁଯାତ୍ରା ପରିକଳ୍ପନା କରିବା ଅସମ୍ଭବ। ବରଗଡ଼ ସହରରେ ମାହୁନ୍ତମାନେ ହାତୀ ପିଠିରେ ବସି ବୁଲିବାର ଦେଖାଗଲେ, ଧନୁଯାତ୍ରା ଆସିଯାଇଛି ବୋଲି ଆଭାସ ମିଳେ। ପ୍ରତିବର୍ଷ ଧନୁଯାତ୍ରାରେ ହାତୀମାନେ ଭଡାରେ ଆସନ୍ତି ସୁଦୂର ରାଜସ୍ଥାନରୁ। ହାତୀ ଉପରେ ବସି “କଂସ” ଆଧୁନିକ ମଥୁରାନଗରୀରେ ପରିଭ୍ରମଣ କରିଥାନ୍ତି। କେବଳ ଏତିକି ନୁହେଁ “କଂସ”ଙ୍କ ସହଯୋଗୀ ଚରିତ୍ରମାନେ ମଧ୍ୟ ହାତୀ ଉପରେ ବସି ଯାତାୟାତ କରିଥାନ୍ତି। ଏହାସହ କଂସଙ୍କ ନିମନ୍ତ୍ରଣରେ ଆସୁଥିବା ଅତିଥିମାନଙ୍କୁ ଏଇ ହାତୀ ଉପରେ ବସାଇ ରାଜଦରବାରକୁ ଅଣାଯାଇଥାଏ। ଧନୁଯାତ୍ରାର କେତୋଟି ନାଟ୍ୟ ଉପସ୍ଥାପନାରେ ମଧ୍ୟ ହାତୀଙ୍କର ବିଶେଷ ଚରିତ୍ର ଥିବା ଦେଖିବାକୁ ମିଳିଥାଏ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ରେ କେବେବି ହାତୀକୁ ନେଇ କୌଣସି ଅଘଟଣ ଘଟିବାର ନଜିରନାହିଁ। ହାତୀମାନଙ୍କ ପାଇଁ ମଧ୍ୟ ବିଶେଷ ପରିପାଟୀର ଦାୟିତ୍ଵ ନେଇଥାନ୍ତି ମାହୁନ୍ତମାନେ। ସେ ଯାହାବି ହେଉ ହାତୀ ପାଇଁ ଧନୁଯାତ୍ରା ଓ ଧନୁଯାତ୍ରା ପାଇଁ ହାତୀ ଅପରିହାର୍ଯ୍ୟ।
ମୀନାବଜାର ଅନ୍ୟତମ ଆକର୍ଷଣ
ବରଗଡ଼ରେ ଧନୁଯାତ୍ରାରେ କଟକ ବାଲିଯାତ୍ରାର କେତୋଟି ଝଲକ ଦେଖିବାକୁ ମିଳିଥାଏ। ଜର୍ଜ ହାଇସ୍କୁଲ୍ ପଡ଼ିଆରେ “ମୀନାବଜାର”ର ଆସର ଜମିଯାଏ। ଗୋଟିଏ ପଟେ ଧନୁଯାତ୍ରା ସମୟରେ ରଙ୍ଗମଞ୍ଚରୁ ମିଳୁଥିବା ମନୋରଞ୍ଜନ ଏବଂ ଅନ୍ୟପଟେ ମୀନାବଜାର ବୁଲିବାର ଆନନ୍ଦ ଦର୍ଶକମାନଙ୍କୁ ଆନନ୍ଦ ଦେଇଥାଏ। ବିଭିନ୍ନ ମନୋହରୀ ଜିନିଷ, ଘରକରଣା ସାମଗ୍ରୀ, ଖାଦ୍ୟପେୟ ସହିତ ବିଭିନ୍ନ ପ୍ରକାର ଦୋଳିକୁ ନେଇ ସରଗରମ ହୋଇଯାଇଥାଏ ମୀନାବଜାରର ପରିସର। ଅପରାହ୍ନରୁ ବିଳମ୍ବିତ ରାତି ଯାଏଁ ଚଟପଟି ଖାଦ୍ୟ ଖାଇବା ସହିତ ଦୋଳିରେ ଝୁଲିବା, ବିଭିନ୍ନ ବୁଲି ଜିନିଷ କିଣିବାରେ ବେଶ୍ ମଜା ଉଠାଇଥାନ୍ତି ଦର୍ଶକମାନେ। ମୀନାବଜାରରେ ମହିଳା ଏବଂ ଝିଅଙ୍କର ବେଶି ଭିଡ଼ ରହିଥାଏ।
ଗୋଟିଏ ଦିଗରୁ ମୀନାବଜାର ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଉଛି ତ ଅନ୍ୟ ଦିଗରୁ ବରଗଡ ଅଞ୍ଚଳର ବ୍ୟବସାୟିକ ଦିଗକୁ ବିକଶିତ କରୁଛି। ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ବ୍ୟବସାୟୀମାନଙ୍କୁ ଧନୁଯାତ୍ରାର ଏହା ହେଉଛି ମୀନାବଜାର ମାଧ୍ୟମରେ ବାଣିଜ୍ୟିକ ସୁଯୋଗ। ମୀନାବଜାରରେ ଧନୁଯାତ୍ରା ଦେଖିବାଟା ଯେମିତି ଅଧୁରା ରହିଯାଏ। କେବଳ ଧନୁଯାତ୍ରାର ପରମ୍ପରା ସହିତ ମୀନାବଜାର ଯୋଡ଼ି ହୋଇନାହିଁ, ବରଂ ଏକ ଅଭିନବ ପରମ୍ପରା ନିଜ ଆଡୁ ସୃଷ୍ଟି କରିଛି।
ସଂଚାର ନୃତ୍ୟ
ବରଗଡ଼ ଧନୁଯାତ୍ରାର ନାଟ୍ୟଧାରାରେ ପ୍ରାକଶୈଳୀ ଭାବେ “ସଂଚାର” ନୃତ୍ୟକୁ ନିଆଯାଇଥିଲା। ପରେ ଏହା ଏକ ମଞ୍ଚନାଟକରେ ପରିଣତ ହୋଇଥିଲା। ସଂଚାର ହେଉଛି ପଶ୍ଚିମ ଓଡ଼ିଶାର ଏକ ଶାସ୍ତ୍ର ଆଧାରିତ ଲୋକନୃତ୍ୟ। ମୁଖ୍ୟତଃ ଗୋଟିଏ ଦଳରେ ତିନୋଟି କଳାକାର ଥାଆନ୍ତି। ଗୀତ, ସଙ୍ଗୀତ ଓ ନୃତ୍ୟକୁ ନେଇ ଏକ ସମନ୍ଵିତ କଳାର ସାଧନ କରିବାକୁ ହୋଇଥାଏ ସଂଚାରରେ।
ମୁଖ୍ୟ କଳାକାରଙ୍କୁ ବାହକ ଏବଂ ଅନ୍ୟ ଦୁଇଜଣଙ୍କୁ ଗାହାକ ବା ପାଳିଆ ବୋଲି କୁହାଯାଇଥାଏ। ବାହାକ ମୃଦଙ୍ଗ ବାଦନ କରି, ଗୀତ ଗାଇ ଗାଇ ନୃତ୍ୟ ପରିବେଷଣ କରନ୍ତି। ଗାହାକମାନେ କସ୍ତାଲ ବଜାଇ ତାଙ୍କୁ ଅନୁସରଣ କରନ୍ତି। ଏଇ ନୃତ୍ୟର କଳାକାରମାନେ ରଙ୍ଗୀନ ଧୋତି, ଗେଞ୍ଜି ଓ ଗାମୁଛା ବ୍ୟବହାର କରିଥାନ୍ତି। ପ୍ରାୟତଃ କଳାକାରମାନେ ଲମ୍ବା ଓ କୁଞ୍ଚିକୁଞ୍ଚିଆ ବାଳ ଧରିଥାନ୍ତି। ପାଦରେ ଘୁଙ୍ଗୁର ପିନ୍ଧନ୍ତି। ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଇଥାନ୍ତି। ଅବଶ୍ୟ ଗୁରୁ-ଶିଷ୍ୟ ପରମ୍ପରା ଆଧାରିତ ଏଇ “ସଂଚାର” ନୃତ୍ୟର ଆଉ ପୂର୍ବ ଚାହିଦା ନାହିଁ ଧନୁଯାତ୍ରାରେ। ତଥାପି ପରମ୍ପରାକୁ ସମ୍ମାନ ଦେଇ ହାଟପଦାର ରାଜଦରବାର ନିକଟରେ ଥିବା “ସଂଚାର” ମଣ୍ଡପରେ ନୃତ୍ୟଦଳଗୁଡ଼ିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଅତୀତକୁ ଫେରାଇ ନେଉଥାନ୍ତି ଦର୍ଶକମାନଙ୍କୁ ଦୀର୍ଘ ଏଗାର ଦିନ ବ୍ୟାପୀ। ପରିଶେଷରେ କୁହାଯାଇପାରେ ଧନୁଯାତ୍ରାର “ସଂଚାର” ଅବହେଳିତ ଅଥଚ ଅପରିହାର୍ଯ୍ୟ ନୁହେଁ।