ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ଅନେକ ଅକୁହା କଥା ଏବଂ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଓଡ଼ିଶାଲାଇଭ ସହ ସ୍ଵତନ୍ତ୍ର ସାକ୍ଷାତକାର ବେଳେ କହିଛନ୍ତି ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ହୋଇଥିବା ହୃଷିକେଶ ଭୋଇ। ସେ ସବୁ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

ଦ୍ଵାପର ଯୁଗର ଖଳନାୟକ କଳିଯୁଗରେ ହୁଅନ୍ତି ମହାନାୟକ। ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ହେଉଛନ୍ତି ସେହି ମହାନାୟକ। ଦୀର୍ଘ ୧୧  ଦିନ ଧରି ରାଜ ଶାସନ ଚଳାନ୍ତି ବରଗଡ଼ ଧନୁଯାତ୍ରାର କଂସ ମହାରାଜା। କେତେବେଳେ ଦୋଷୀକୁ ଦଣ୍ଡ ଦିଅନ୍ତି ତ କେତେବେଳେ ନଗର ପରିକ୍ରମା କରି ପ୍ରଜାଙ୍କ ଭଲମନ୍ଦ ବୁଝନ୍ତି। କେବଳ ସେତିକି ନୁହେଁ ଆବଶ୍ୟକ ହେଲେ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ ମଧ୍ୟ କରନ୍ତି ବରଗଡ଼ ଧନୁଯାତ୍ରାର କଂସ ମହାରାଜା।

ଏହି ପରମ୍ପରା ଚାଲିଆସୁଛି ଦୀର୍ଘ ୧୯୪୭ ମସିହାରୁ। ଦ୍ଵାପର ଯୁଗରେ କଂସ ମହାରାଜା ଖଳ ପ୍ରକୃତିର ହୋଇଥିବାବେଳେ କଳିଯୁଗରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ମହାନାୟକ ସାଜନ୍ତି। ଯାହାଙ୍କ ଆଦେଶକୁ ସମସ୍ତେ ସମ୍ମାନ ଦିଅନ୍ତି।

ଚଳିତ ଥର ୭୫ ବର୍ଷରେ ପଦାର୍ପଣ କରିଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ହେବାର ସୌଭାଗ୍ୟ ହାସଲ କରିଛନ୍ତି ହୃଷିକେଶ ଭୋଇ। ପେସାରେ ସରକାରୀ ଡାକ୍ତରଖାନାର ଡ୍ରାଭର ଥିବା ହୃଷିକେଶ ଭୋଇଙ୍କର ନିଶା ହେଉଛି ଅଭିନୟ। କଳାକାର ପରିବାରରେ ଜନ୍ମ ହୋଇଥିବା ହୃଷିକେଶ ଭୋଇ ଗାଁ ନାଟକରୁ ଅଭିନୟ କରି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ହେବାର ଗୌରବ ଅର୍ଜନ କରିଛନ୍ତି।

ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ହେବା ପାଇଁ କଳାକାରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ହେଉଥିବାବେଳେ ନିଜର ଅଭିନୟ ଦକ୍ଷତା ଯୋଗୁଁ ଚଳିତ ବର୍ଷକୁ ମିଶାଇ ମୋଟ ୧୦ ଥର ବରଗଡ଼ ଧନୁଯାତ୍ରାର କଂସ ମହାରାଜା ହୋଇ ପାରିଛନ୍ତି ହୃଷିକେଶ ଭୋଇ।

Tags: #WorldFamouseBargarhDhanuJatra #KansaMaharaja #HrushikeshBhoi #SpecialInterviewWithHrushikeshBhoi #OdishLIVE

Comment