ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ରେ ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି।

ସୋମବାରଠାରୁ ବରଗଡ଼ ପାଲଟିବ ବିଶ୍ଵର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ ମଥୁରା ନଗରୀ ପାଲଟିବ ଏବଂ ଅମ୍ବାପଲ୍ଲୀ ହେବ ଗୋପପୁର। ସେହିଭଳି ଜିରା ନଦୀ ପାଲଟିବ ଯମୁନା। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।

ପୂରା ୧୧ ଦିନ ଧରି ବରଗଡ଼ରେ ଚାଲିବ ରାଜତନ୍ତ୍ର। ଦ୍ଵାପର ଯୁଗର ଖଳନାୟକ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପାଲଟିବେ ମହାନାୟକ। ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରଗଡ଼ ଜିଲ୍ଲାର ଗାଁଠୁ ସହର। ଆଲୋକମାଳାରେ ସଜେଇ ହୋଇଛି ବରଗଡ଼ ସହର। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ହୃଷିକେଶ ଭୋଇ ଚଳିତ ବର୍ଷ କଂସ ମହାରାଜା ଭୂମିକାରେ ୧୧ ଦିନ ଧରି ବରଗଡ଼ରେ ରାଜତନ୍ତ୍ର ଚଲାଇବେ। ପ୍ରାୟ ୮ କିଲୋମିଟର ପରିଧି ମଧ୍ୟରେ ରାଜ ଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସହ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ।

ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #WorldFamousBargarhDhanuJatra #KansaMaharaja #HrushikeshBhoi #OdishLIVE

Comment