ଓଡ଼ିଶାଲାଇଭ୍ ବ୍ୟୁରୋ

“ମହାରାଷ୍ଟ୍ରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ଆଇନ୍ ପ୍ରଣୟନ କରିଛନ୍ତି। କିନ୍ତୁ ଏହାକୁ ରାଜ୍ୟରେ ଲାଗୁ କରିବା ରାଜ୍ୟ ସରକାରଙ୍କ ଇଚ୍ଛା”,କହିଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ।

ସାରା ଦେଶରେ ଜାନୁଆରି ୧୦ରୁ ନାଗରିକତା ଆଇନ ଲାଗୁ ହୋଇସାରିଛି। ଏହାପରେ ମଧ୍ୟ ଦେଶର ଅନେକ ଅଞ୍ଚଳରେ ଏହାକୁ ନେଇ ବିରୋଧାଭାସ ଦେଖିବାକୁ ମିଳୁଛି। କେତେକ ଅଣ ବିଜେପି ଶାସିତ ରାଜ୍ୟ ଏହାକୁ ସେମାନଙ୍କ ରାଜ୍ୟରେ ଲାଗୁ କରିବାକୁ ସିଧାସିଧା ମନା କରିଦେଇଛନ୍ତି।ମହାରାଷ୍ଟ୍ରରେ ଶାସନରେ ଥିବା ମହାବିକାଶ ଅଘାଡ଼ି ମେଣ୍ଟ ମଧ୍ୟ ଏହାକୁ ରାଜ୍ୟରେ ଲାଗୁ କରିବାକୁ ମନା କରିଦେଇଛି। ରାଜ୍ୟର ମନ୍ତ୍ରୀ ଥିବା କଂଗ୍ରେସ ନେତା ବାଲା ସାହେବ ଥୋରାଟ କହିଛନ୍ତି ଯେ, ସିଏଏକୁ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି, ଏହାକୁ ମହାରାଷ୍ଟ୍ରରେ କଦାପି ଲାଗୁ କରାଯିବ ନାହିଁ।

ସିଏଏକୁ କଂଗ୍ରେସ ଦଳ ବିରୋଧ କରୁଥିବାବେଳେ ମହାରାଷ୍ଟ୍ରର ଉଦ୍ଧବ ସରକାରରେ କଂଗ୍ରେସ ସହଯୋଗୀ ରହିଛି। ତେଣୁ ଶିବସେନା ମଧ୍ୟ ଏହାକୁ ବିରୋଧ କରୁଛି। ଶିବସେନା, ଏନସିପି ଓ କଂଗ୍ରେସ ମିଶି ରାଜ୍ୟରେ ସରକାର ଗଠନ କରିବା ଦ୍ୱାରା ଏଠାରେ ନାଗରିକତା ସଂଶୋଧନ ଆଇନ୍ ଲାଗୁ କରିବା ବିଜେପି ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି।

Comment