ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସିଟିଜେନ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ)କୁ ନେଇ ବିଜେପି ଲୋକଙ୍କ ସଚେତନ କରାଉଛି। ଏନେଇ ସାରାଦେଶରେ ଜନସାଧାରଣଙ୍କ ପାଖକୁ ଯାଉଛି ବିଜେପି। ଏହା ଲୋକଙ୍କୁ ନାଗରିକତା ଦେବାର ଆଇନ, ଛଡ଼ାଇନେବାର ଆଇନ ନୁହେଁ ବୋଲି ଲୋକଙ୍କୁ ସଚେତନ କରାଯାଉଛି। ଏଥିପାଇଁ ଆଜି କେନ୍ଦ୍ରାପଡ଼ାରେ ବିଜେପି ଜନ ସଚେତନତା ଶୋଭାଯାତ୍ରା କରୁଥିଲା, ଯାହାକୁ ରୋକ ଲଗାଇଛି ପୋଲିସ।

ସିଏଏକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ବିରୋଧ ଦେଖାଯାଇଥିଲା। ଦଳିତ, ମୁସଲମାନ, ସିପିଏମ୍, ସିପିଆଇ ଓ କଂଗ୍ରେସ ପକ୍ଷରୁ ଗତ କିଛିଦିନ ତଳେ କରାଯିବାକୁ ଥିବା ପ୍ରତିବାଦ ଶୋଭାଯାତ୍ରାକୁ କରାଇ ଦେଇନଥିଲା ପୋଲିସ୍। ଉତ୍ତେଜନାକୁ ଆଖିଆଗରେ ରଖି ସଶସ୍ତ୍ର ପୋଲିସ ଏହି ଶୋଭାଯାତ୍ରାକୁ ଗୋବରୀ ବାଇପାସ୍ ରାସ୍ତା କଂସେଇଖାନା ନିକଟରେ ଅଟକାଇ ଦେଇଥିଲା।

ଠିକ ସେହିପରି ଆଜି ବିଜେପିର ସିଏଏ ସଚେତନତା ଶୋଭାଯାତ୍ରାକୁ ବନ୍ଦ କରିଦେଇଛି ପୋଲିସ। କେନ୍ଦ୍ରାପଡ଼ା ସହରର ତିନିମୁହାଣି ରାମ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ଗୋପ ରାମ ମନ୍ଦିର ଯାଏଁ ଯିବାର ଥିଲା। ହେଲେ ତିନିମୁହାଣିଠାରୁ ସହର ମଧ୍ୟକୁ କିଛି ଦୂରରେ ଥିବା ଜ୍ଞାନପୀଠ ଛକରେ ପୋଲିସ ରାସ୍ତାରେ ସେମାନଙ୍କୁ ଅଟକାଇଥିଲା। ଶହଶହ ପୋଲିସ ବାହିନୀଙ୍କୁ ଆଇନଶୃଙ୍ଖଳା ପାଇଁ ମୁତୟନ କରିଥିଲେ କେନ୍ଦ୍ରାପଡା ଏସପି ନିତିଶେଖର। ଫଳରେ ଏହି ଶୋଭାଯାତ୍ରା ତିନିମୁହାଣି ବଜାରରେ ଅଟକି ଯାଇଥିଲା।

ବିଜେପିର ଏହି ଶୋଭାଯାତ୍ରା ପୋଲିସ ସହିତ ମୁହାଁମୁହିଁ ହୋଇନଥିଲେ ମଧ୍ୟ ବିଜେପି କର୍ମୀମାନେ ଜିଲ୍ଲା ପ୍ରଶାସନ ବିରୋଧରେ ରାସ୍ତା ମଝିରେ ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ବିଜେପିର ଏହି ସକରାତ୍ମକ କାର୍ଯ୍ୟକ୍ରମକୁ କାହିଁକି ବିରୋଧ କରୁଛି ବୋଲି ପ୍ରଶ୍ନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ଵରେ ଏହି ସଚେତନତା ଶୋଭାଯାତ୍ରାରେ ଶହଶହ ବିଜେପି କର୍ମକର୍ତ୍ତା ଓ କର୍ମୀମାନେ ସାରା ଜିଲ୍ଲାରୁ ଆସି ଏଥିରେ ଯୋଗଦେଇଥିଲେ।

Comment