ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ମାସରେ ସମଗ୍ର ଦେଶରେ ପିଆଜ ଦର କିଲୋ ପିଛା ୨୦୦ ଟଙ୍କା ଟପି ଯାଇଥିଲା। ଏହାକୁ ଦେଖି କେନ୍ଦ୍ର ସରକାର ୪୨ ହଜାର ଟନ ପିଆଜ ମଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ପ୍ରାୟ ଅଧାରୁ ଅଧିକ ପିଆଜ ଆମଦାନୀ ସରିଲାଣି। କିନ୍ତୁ ରାଜ୍ୟ ସରକାରମାନେ ଏହାକୁ କିଣୁ ନାହାନ୍ତି। କେନ୍ଦ୍ର ସରକାରଙ୍କ ଆଶଙ୍କା ରହିଛି ଯଦି ବିଦେଶରୁ ଆସିଥିବା ପିଆଜକୁ ରାଜ୍ୟ ସରକାରମାନେ ନକିଣନ୍ତି ତାହା ଗୋଦାମରେ ସଢ଼ିବା ହିଁ ସାର ହେବ।

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାଶ୍ୱ।ନ କହିଛନ୍ତି ଯେ କେନ୍ଦ୍ର ସରକାର ପରିବହନ ଖର୍ଚ୍ଚ ତୁଲାଇବା ପାଇଁ ପ୍ରସ୍ତୁତ। ଏହାକୁ ଆଖିରେ ରଖି କେନ୍ଦ୍ର ରାଜ୍ୟ ସରକାରମାନଙ୍କୁ କିଲୋ ପିଛା ୫୫ ଟଙ୍କାରେ ବିକ୍ରି କରିବା ପାଇଁ ରାଜି ଅଛି।

ସେପ୍ଟେମ୍ବର ମାସରେ ପିଆଜ ଦର ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଲା ଓ ଗତ ମାସରେ ଏହା ୨୦୦ ଟଙ୍କା ଛୁଇଁଥିଲା। ଏଣୁ ବାଧ୍ୟ ହୋଇ କେନ୍ଦ୍ର ସରକାଙ୍କ ପକ୍ଷରୁ ତୁର୍କୀ ଓ ମିଶରରୁ ପିଆଜ ଆଣିବା ପାଇଁ ସ୍ଥିର କରାଯାଇଥିଲା।

ପାଶ୍ଵାନଙ୍କ କହିବାନୁସାରେ ଏ ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ଟନ ପିଆଜ ଆସି ବିଭିନ୍ନ ବନ୍ଦରରେ ପଡ଼ିଛି। କିନ୍ତୁ ରାଜ୍ୟ ସରକାରମାନେ ଚୁପଚାପ ବସିଯାଇଛନ୍ତି। ସେ କହିଛନ୍ତି ଯେ, ଯଦି ଏଭଳି ସ୍ଥିତବସ୍ଥା ଚାଲୁ ରହେ, ପରେ କେନ୍ଦ୍ରକୁ ଆଉ କେହି ଦୋଷ ଦେଇପାରିବେନାହିଁ।

ଏହା ମଧ୍ୟରେ ମହାରାଷ୍ଟ୍ରରେ ପିଆଜ ଅମଳ ଆରମ୍ଭ ହେବା ପରେ ଅବଶ୍ୟ ପିଆଜ ଦାମ କମିଛି। ତଥାପି ଏହା ୭୦-୮୦ ଟଙ୍କା ପାଖାପାଖି ରହିଛି। ଯଦି ବିଦେଶରୁ ଆସିଥିବା ପିଆଜ ରାଜ୍ୟମାନେ କିଣନ୍ତି ଦର ଆହୁରି ତଳକୁ ଆସିପାରନ୍ତା ବୋଲି ପାଶ୍ଵାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here