ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଛୁପାଲି ନାମକ ଏକ ରେଳ ଷ୍ଟେସନକୁ ଉଦ୍ଘାଟନ କରିଥିଲେ। ଅନ୍ୟ କେତେକ ପ୍ରକଳ୍ପ ସହ ବିଛୁପାଲି-ବଲାଙ୍ଗିର ରେଳ ଲାଇନ ବି ସେହି ଦିନ ଆରମ୍ଭ ହୋଇଥିଲା। ବର୍ଷକ ପରେ ଏବେ ଯାହା ଦେଖିବାକୁ ମିଳିଛି ହାରାହାରି ମାତ୍ର ଦୁଇ ଜଣ ଯାତ୍ରୀ ହିଁ ଏଠି ଟ୍ରେନରେ ଚଢ଼ନ୍ତି। ଅର୍ଥାତ ଏହି ରେଳ ଷ୍ଟେସନରୁ ଭାରତୀୟ ରେଲୱେ ଦୈନିକ ମାତ୍ର କୋଡ଼ିଏ ଟଙ୍କା ରୋଜଗାର କରିଥାଏ। ହେମନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିଛି।
ବଲାଙ୍ଗିର ନିବାସୀ ହେମନ୍ତ ପଣ୍ଡା ପୂର୍ବତଟ ରେଳରୁ ଏହି ଷ୍ଟେସନର ଆୟବ୍ୟୟ ହିସାବ ଆରଟିଆଇରେ ମାଗିଥିଲେ। ଷ୍ଟେସନକୁ ଚଳାଇବା ପାଇଁ ରେଳ ବିଭାଗ ପକ୍ଷରୁ କେତେ ଖର୍ଚ୍ଚ ହୁଏ ସେହି ତଥ୍ୟ ମିଳିନଥିଲା। କିନ୍ତୁ ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ବିଛୁପାଲିକୁ ଟ୍ରେନ ଚଳାଇବା ବାବଦକୁ ବାର୍ଷିକ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଷ୍ଟେସନରେ ଜଣେ ଷ୍ଟେସନ ମାଷ୍ଟର, ଜଣେ ଏଏସେମ ଓ ଦୁଇ ଜଣ ଟିକେଟ କ୍ଳର୍କ କାମ କରନ୍ତି ଯେଉଁମାନଙ୍କ ଦରମା ହିସାବ କରାଯାଇନାହିଁ।
ପ୍ରାୟ ୧୧୫ କୋଟି ଟଙ୍କା ବ୍ୟୟରେ ବିଛୁପାଲି ଷ୍ଟେସନ ତିଆରି କରାଯାଇଥିଲା। ଏହି ସ୍ଥାନକୁ ଦୈନିକ ତିନୋଟି କୋଚ୍ ଥିବା ଦୁଇଟି ପାସେଞ୍ଜର ଟ୍ରେନ ଯାତାୟାତ କରିଥାଏ।
ଅବଶ୍ୟ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ଯେ ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନ ଶେଷ ହେବା ପରେ ବିଛୁପାଲିକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ। ତା’ ଛଡା ସମ୍ବଲପୁର ଟିଟିଲାଗଡ଼ ଲାଇନ ଦୋହରା ହେବା ପରେ ବି ଏଠି ଯାତ୍ରୀଙ୍କ ସଂଖ୍ୟା ବଢ଼ିବ।
ତେବେ କୌତୁହଳର ବିଷୟ ଏହି ଯେ ଖବର ରେଲୱେ ପ୍ରଥମେ ଏହି ଷ୍ଟେସନରେ ନାମ ନିକଟସ୍ଥ ଏକ ବଡ଼ ଗାଁକୁ ଆଖିରେ ରଖି ଭଇଁସପାଲି ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ପାଖରେ ଥିବା ଅନ୍ୟ ଗାଁର ଲୋକେ ବି ନିଜ ଗାଁର ନାମକରଣ ଦାବି କରିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ରେଭେନ୍ୟୁ ରେକର୍ଡ ଅନୁସାରେ ବିଛୁପାଲିକୁ ବାଛିଲେ।
ଉଲ୍ଳେଖଯୋଗ୍ୟ ଯେ, ବଲାଙ୍ଗିର ଷ୍ଟେସନଠାରୁ ୧୫ କିମି ଦୂରରେ ଥିବା ବିଛୁପାଲି ୨୮୯ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନର ଏକ ଅଂଶ। ଯେତେବେଳେ ଖୋର୍ଦ୍ଧା ବଲାଙ୍ଗିର ଲାଇନ କାର୍ଯ୍ୟ ଶେଷ ହେବ ଭୁବନେଶ୍ୱର, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ନୟାଗଡ଼ ପରସ୍ପର ସହିତ ଯୋଡ଼ି ହେବେ।

















