ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ? କିଏ ହେବ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରୁଥିଲାବେଳେ ଗୁରୁବାର ଏନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କୁହାଯାଉଛି।

ଗୁରୁବାରଠୁ ରାଜ୍ୟ ବିଜେପି ସଭାପତି ପଦ ପାଇଁ ନିର୍ବାଚନ ପକ୍ରିୟା ଆରମ୍ଭ ହେବ। ଅପରାହଣ ୩ଟାରୁ ଏହି ନିର୍ବାଚନ ପକ୍ରିୟା ଆରମ୍ଭ ହେବ। ଅପରାହଣ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପରେ ପ୍ରାର୍ଥୀମାନଙ୍କୁ ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ସୁଯୋଗ ଦିଆଯିବ। ଏହାପରେ ଯଦି ଆବଶ୍ୟକ ପଡେ ତେବେ ୧୭ ତାରିଖ ଦିନ ସକାଳ ୧୦ଟାରେ ସଭାପତି ପଦ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।ଗୁରୁବାର ହିଁ କିଏ ବିଜେପିର ସଭାପତି ହେବେ ସେ ନେଇ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି, କାରଣ ସଭାପତି ପଦ ପାଇଁ ସହମତି ଭିତ୍ତିରେ କେବଳ ଜଣେ ମାତ୍ର ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ତାଙ୍କୁ ଦଳର ସମସ୍ତ କର୍ମକର୍ତ୍ତା ସମର୍ଥନ କରିବେ, ତେଣୁ ଭୋଟିଂ ବ୍ୟବସ୍ଥାର କୌଣସି ଆବଶ୍ୟକ ପଡ଼ିବନି ବୋଲି କୁହାଯାଉଛି। ଆସନ୍ତାକାଲି ହିଁ ରାଜ୍ୟ ବିଜେପି ନିଜର ନୂଆ ସଭାପତିଙ୍କୁ ମୁହଁ ଦେଖିବ ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ଏହି ସଭାପତି ପଦ ହାତେଇବ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶା ନା ଉପକୂଳ ଓଡ଼ିଶା କେଉଁଠୁ ଦଳ ନିଜର ମୁଖିଆ ବାଛିବ ଏବେ କେବଳ ତାକୁ ହିଁ ଅପେକ୍ଷା ବୋଲି କୁହାଯାଉଛି।

ଆସନ୍ତାକାଲିର ଏହି ନିର୍ବାଚନ ପକ୍ରିୟାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଜୀବ ପ୍ରସାଦ ରୁଡ଼ି ପ୍ରମୁଖ ଯୋଗ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିବେ।

Comment