ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଲାଗି ଶ୍ରୀମନ୍ଦିରରେ ପାଳିତ ହେଉଛି ମକର ନୀତି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା। ମାଳଚୁଆ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ମକର ସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଛି। ମହାପ୍ରଭୁଙ୍କ ମକର ବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଳଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଥିଲା ବେଳେ ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ଫୁଲ ଓ ତୁଳସୀ  ଆଦିକୁ ନେଇ ସୁସଜ୍ଜିତ ମାଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି।

ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିରୁ  ଆରମ୍ଭ ହୋଇଥିବା ପହିଲି ଭୋଗ ନୀତି ମକରସଂକ୍ରାନ୍ତିରେ ବନ୍ଦ ହୋଇଥାଏ। ଧନୁ ସଂକ୍ରାନ୍ତିରୁ ମା’ ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା’ ବିମଳା ନିଜ ପୁଅ ପାଇଁ ସଅଳ ସଅଳ ଭୋଗ ପ୍ରସ୍ତୁତ କରିଥା’ନ୍ତି। ମକର ସଂକ୍ରାନ୍ତିକୁ ମା’ଲକ୍ଷ୍ମୀ ଫେରିଥିବାରୁ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ହାତ ରନ୍ଧା ଖାଇବେ ବୋଲି ବିଧି ରହିଛି।

Comment