ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ନିର୍ଗୁଣ୍ଡି ଷ୍ଟେସନ୍‌ଠାରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ଟ୍ରାକ୍‌ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଖୋର୍ଦ୍ଧା ରେଲଓ୍ୱେ ଡିଭିଜନ୍‌ର ୧୦୦ରୁ ଅଧିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ ମରାମତି କାର୍ଯ୍ୟରେ ଲାଗିଛନ୍ତି। ଆଜି ରାତିସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ରେଲଓ୍ୱେ ବିଭାଗ ପକ୍ଷରୁ କୁହାଯାଇଛି।

ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଆଜି ସକାଳୁ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନ୍‌ଚ୍ୟୁତ ହୋଇଥିଲା। ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ରେ ଆସୁଥିବା ୪୦୦ରୁ ଅଧିକ ପାସେଞ୍ଜରଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଟ୍ରେନ୍‌ଟି ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏଥିରେ ଆସୁଥିବା କିଛି ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସେମାନଙ୍କ ଘରକୁ ପଠା ଦିଆଯାଇଥିବା ବେଳେ କିଛି ଯାତ୍ରୀ ନିଜ ନିଜ ବ୍ୟବସ୍ଥାରେ ଘରକୁ ଫେରିଥିବା ସୂଚନା ମିଳିଛି।

ଅନ୍ୟପଟେ ନିର୍ଗୁଣ୍ଡି-ଟାଙ୍ଗୀ ରୁଟ୍‌ରେ ଯିବାକୁ ଥିବା ଟ୍ରେନ୍‌ର ଗତିପଥ ବଦଳାଇ ଦିଆଯାଇଛି। ୫ଟି ଟ୍ରେନ୍‌ ନିର୍ଗୁଣ୍ଡି-ଟାଙ୍ଗୀ ରୁଟ୍‌ରେ ନ ଆସି ଭାୟା ନରାଜ ଦେଇ ଗତି କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଉଛି ପୁରୀ, ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌, ଧାନବାଦ-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍‌, ତାଳଚେର-ପୁରୀ ମେମୁ ଓ ଭୁବନେଶ୍ଵର-ଏଲଟିଟି ଏକ୍ସପ୍ରେସ୍।

Comment