ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା। ଖୁବ୍‌ ଶୀଘ୍ର ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ କହିପାରନ୍ତି ଅଲବିଦା। ଗୁରୁବାର ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡ଼ିଛନ୍ତି ଧୋନୀ। ଏଥିରୁ ଧୋନୀଙ୍କୁ ବାଦ୍‌ ଦେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଧୋନୀ ଧିରେ ଧିରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଉଥିବାରୁ ସେ ଶୀଘ୍ର ଅବସର ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ବିଶ୍ଵକପ ପରେ ଧୋନୀ କ୍ରିକେଟରୁ ୩ ମାସ ପାଇଁ ଦୂରରେ ରହିବେ ବୋଲି ଘୋଷଣା କରିଥିଲେ। ଏହି ୩ ମାସ ସେ ଭାରତୀୟ ସେନାଙ୍କ ସହ ଯୋଗ ଦେଇଥିଲେ। ହେଲେ ୩ ମାସ ସରିବା ପରେ ମଧ୍ୟ ତାଙ୍କୁ ଆଉ ଦଳରେ ସୁଯୋଗ ମିଳି ନଥିଲା। ସେବେଠାରୁ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଛି। ଧୋନୀ ଦଳରୁ ଏକପ୍ରକାର ଦୂରେଇ ଯିବା ତାଙ୍କ ଅବସର ନେବାର ସୂଚନା ଦେଉଥିବା ଜଣାପଡୁଛି।

ବର୍ତ୍ତମାନ ପୁଣି ବିସିସିଆଇର ବାର୍ଷିକ ଚୁକ୍ତିରୁ ଧୋନୀ ବାଦ୍‌ ପଡିଛନ୍ତି। ୨୦୨୦ସେପ୍ଟେମ୍ଵର ପର୍ଯ୍ୟନ୍ତ ଜାରି ରହିବ। ଏହି ଲିଷ୍ଟରେ ୩୦ ଜଣ ଖେଳାଳିଙ୍କ ନାଁ ରହିଛି, ଯେଉଁମାନେ ଭାରତ ପାଇଁ ସବୁ ପ୍ରକାରର କ୍ରିକେଟ ଖେଳୁଛନ୍ତି। ହେଲେ ଧୋନୀଙ୍କୁ ଏଥିରୁ ବାଦ୍‌ ଦେବା ତାଙ୍କ କ୍ୟାରିୟର ଶେଷ ହେବା ନେଇ ସୂଚନା ଦେଉଛି।

ଅନ୍ୟପକ୍ଷରେ କିଛି ବାଦବିବାଦକୁ ନେଇ ମଧ୍ୟ ଧୋନୀଙ୍କୁ ଅବହେଳା କରାଯାଉଥିବା ଚର୍ଚ୍ଚା ହେଉଛି। ଧୋନୀ କ୍ୟାପଟେନ ଥିବା ସମୟରେ ସୌରଭ ଗାଙ୍ଗୁଲିଙ୍କୁ ଦଳରେ ଆଉ ସୁଯୋଗ ମିଳିନଥିଲା। ତାଙ୍କ ଫିଟନେସ୍‌ ଯୋଗୁଁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇ ଥିଲା। କେବଳ ସୌରଭ ଗାଙ୍ଗୁଲି ନୁହେଁ ଅନେକ ଅଭିଜ୍ଞ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଥିଲା।

ଏହି ଘଟଣା ମଧ୍ୟ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି। କୁହାଯାଉଛି ଯେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ଧୋନୀଙ୍କୁ ଆଉ ସୁଯୋଗ ମିଳୁନି। ସେବେକାର ଘଟଣାକୁ ବର୍ତ୍ତମାନ ସହିତ ଯୋଡ଼ି ଲୋକେ ଧୋନୀଙ୍କ ଅବସର ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା କରୁଛନ୍ତି।

ହେଲେ ଏହି ଘଟଣାରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଥିଲେ, “ଧୋନୀଙ୍କ କ୍ୟାରିୟର ଏବେ ଶେଷ ହୋଇନାହିଁ। ତାଙ୍କ ଫର୍ମ ଦେଖି ତାଙ୍କୁ ସୁଯୋଗ ଦିଆଯିବ। ସେ ଜଣେ ଭଲ ଖେଳାଳି ଓ କ୍ୟାପଟେନ। ସେ କେବେବି ଅବସର ପାଇଁ ଟିମ୍‌କୁ ଦୋଷ ଦେବେ ନାହିଁ।”

Comment