ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦ ନିଶା ହେଲା କାଳ। ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟାକଲେ ଦୁର୍ବୃତ୍ତ। ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ ପଞ୍ଚାୟତ ନୂଆଁଗାଁ ଗ୍ରାମରେ। ଏଥିରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତକ ଜଣକ ହେଲେ ରାଧାକୃଷ୍ଣ ବାରିକ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଶରତ ବାରିକ। ତାଙ୍କୁ ଚିକିତ୍ସା ପାଇଁ ରୁପସା ଡାକ୍ତରଖାନାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରାଧାକୃଷ୍ଣ ଓ ଶରତ ଦୁଇ ସାଙ୍ଗ ଥିଲେ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ନୂଆଗାଁ ଗ୍ରାମର ରାଧାକୃଷ୍ଣ ବାରିକ ଓ ଶରତ ଚନ୍ଦ୍ର ବାରିକ ମଦ ପିଇବା ପାଇଁ ଗାଁରେ ଥିବା ଦେଶୀମଦ ଦୋକାନକୁ ସାଙ୍ଗ ହୋଇ ଯାଇଥିଲେ। ହେଲେ ସେଠାରେ ଶ୍ୟାମସୁନ୍ଦର ବାରିକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ଫଳରେ ଶ୍ୟାମସୁନ୍ଦର ଏକ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ରାଧାକୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶରତ ଗୁରୁତର ଆହତ ହୋଇଥିଲେ।

ହତ୍ୟା ପରେ ମୃତଦେହକୁ ଏକ ପୋଖରୀରେ ଫୋପାଡ଼ି ଫେରାର ହୋଇଯାଇଥିଲା ଶ୍ୟାମସୁନ୍ଦର। ଖବରପାଇ ଘଟଣାସ୍ଥଳରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପହଞ୍ଚି ଏକ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରିଥିଲେ।

ପରେ ବେତନଟୀ ଏସଡିପିଓ ଏବଂ ବୈଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମୃତକ ରାଧାକୃଷ୍ଣ ବାରିକଙ୍କ ମୃତଦେହ ଜବତକରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ଶ୍ୟାମସୁନ୍ଦର ବାରିକ ସହ ତାର ଶଳା ପାଗୁଲୁ ବେହେରା ବୈଶିଙ୍ଗା ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା କିମ୍ବା ଅନ୍ୟକୌଣସି କାରଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comment