ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ଘଣ୍ଟାର ପରିଶ୍ରମ ପରେ ଶେଷରେ ନିର୍ଗୁଣ୍ଡି ଷ୍ଟେସନ ରେଳ ଲାଇନ ମରାମତି କାର୍ଯ୍ୟ ସରିଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇର ୨୫୦ରୁ ଅଧିକ କର୍ମଚାରୀଙ୍କୁ ମରାମତି କାମରେ ଲଗାଯାଇଥିଲା। ଗୁରୁବାର ରାତି ୨ଟା ପାଖାପାଖି ଶେଷ ହୋଇଥିଲା ମରାମତି କାର୍ଯ୍ୟ। ମରାମତି ପରେ ଏହି ରୁଟ୍‌ରେ ରେଳ ଚଳାଚଳ ସ୍ଵାଭାବିକ ହୋଇଛି।

ଅନ୍ୟପକ୍ଷରେ ଲୋକମାନ୍ୟ ତିଲକ୍ ଏକ୍ସପ୍ରେସଟିକୁ ନିର୍ଗୁଣ୍ଡି ଷ୍ଟେସନ୍ ପାର୍କିଂ ୟାର୍ଡରେ ରଖାଯାଇଥିବା ସୂଚନା ମିଳିଛି। ଗୁରୁବାର ଦୁର୍ଘଟଣା ପରେ ୫ଟି ଟ୍ରେନ୍‌ର ଗତିପଥକୁ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା। ୫ଟି ଟ୍ରେନକୁ ନରାଜ ଦେଇ ଯିବାକୁ ପଡ଼ିଥିଲା। ଦୁର୍ଘଟଣା ପରେ ପୁରୀ, ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌, ଧାନବାଦ-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍‌, ତାଳଚେର-ପୁରୀ ମେମୁ ଓ ଭୁବନେଶ୍ଵର-ଏଲଟିଟି ଏକ୍ସପ୍ରେସ୍‌ର ଗତିପଥ ବଦଳା ଯାଇଥିଲା।

ଗୁରୁବାର ସକାଳ ସାତଟା ପାଖାପାଖି ଟାଙ୍ଗୀ-ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍। ପୂର୍ବରୁ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍। ଦୁର୍ଘଟଣାରେ ୫ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ, ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏହି ଧକ୍କା ଫଳରେ ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

Comment