ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ଜମ୍ମୁ କଶ୍ମୀରରେ ପ୍ରିପେଡ୍ ମୋବାଇଲ୍ କଲ ସହ ଏସ୍ଏମ୍ଏସ୍ ଓ 2G ଇଣ୍ଟରନେଟ୍ ସେବା ଆରମ୍ଭ କରାଯାଇଛି।

ଜମ୍ମୁ କଶ୍ମୀରରେ ଆରମ୍ଭ ହେଲା ପ୍ରିପେଡ୍ ମୋବାଇଲ୍ କଲ୍ ସେବା। ଦୀର୍ଘ ୧୬୪ ଦିନର ବ୍ୟବଧାନ ପରେ ଜମ୍ମୁ କଶ୍ମୀରରେ ପୁଣିଥରେ ପ୍ରିପେଡ୍ ମୋବାଇଲ୍ କଲ୍ ଓ ଏସ୍ଏମ୍ଏସ୍ ସେବାକୁ ଆରମ୍ଭ କରାଯାଇଛି। ଶନିବାର ଏନେଇ ଜମ୍ମୁ କଶ୍ମୀରର ପ୍ରମୁଖ ସଚିବ ରୋହିତ କଂସଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଜମ୍ମୁ କଶ୍ମୀର ସ୍ଥିତିକୁ ସମୀକ୍ଷା କରିବା ପରେ ପୁଣିଥରେ ଏଠାରେ ପ୍ରିପେଡ୍ ମୋବାଇଲ୍ କଲ୍ ସେବା ସହ ଏସ୍ଏମ୍ଏସ୍ ଓ 2G ଇଣ୍ଟରନେଟ୍ ସେବା ଆରମ୍ଭ କରାଯାଇଛି। ଲୋକମାନେ ପୂର୍ବଭଳି ପୁଣିଥରେ ମୋବାଇଲରେ କଲ୍ ଓ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କେନ୍ଦ୍ର ସରକାର ସେଠାରେ ମୋବାଇଲ୍ କଲ ସେବାକୁ ବନ୍ଦ କରିଦେଇଥିଲେ। ଏପରିକି ଇଣ୍ଟରନେଟ୍ ସେବାକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା। କିଛି ଦିନ ପରେ କେବଳ ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲମାନଙ୍କରେ ଇଣ୍ଟରନେଟ୍ ସେବା ଓ କଲିଂ ସୁବିଧା ଯୋଗାଇଦିଆଯାଇଥିଲା, କିନ୍ତୁ ସାଧାରଣ ଲୋକମାନେ ଏହି ସେବା ପାଇପାରୁନଥିଲେ।

କିଛି ଦିନ ପୂର୍ବେ ସୁପ୍ରିମକୋର୍ଟ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାର ଜାଣିଶୁଣି ସାଧାରଣ ଜନତାଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ ଶନିବାରଠାରୁ ଏହି ସେବା ସବୁକୁ ଆରମ୍ଭ କରିଦିଆଯାଇଛି।

Comment