ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଫେଲ୍ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ କଲେଜରେ ଲାଗିଲା ନିଆଁ। ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାରେ ପାସ୍ ହେବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ପରେ ଏହାକୁ ନେଇ ସୋମବାର ରାଜ୍ୟର ବିଭିନ୍ନ ଯୁକ୍ତ ଦୁଇ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି

ଛାତ୍ରମାନେ ରାଜରାସ୍ତା ଅବରୋଧ କରିବା ସହ କଲେଜ ଗେଟକୁ ତାଲା ପକାଇଦେଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ରାଜଧାନୀର ବିଜୁ ପଟ୍ଟନାୟକ କଲେଜ, ପଟିଆ କଲେଜ, ପୁରୀର ସାମନ୍ତ ଚନ୍ଦ୍ର ଶେଖର କଲେଜ ଓ ଜଟଣୀ କଲେଜ ଆଦିରେ ପ୍ରବଳ ଛାତ୍ର ଅସନ୍ତୋଷ ଦେଖାଦେଇଛି।

ଛାତ୍ରଛାତ୍ରୀମାନେ କହିବା କଥା, “ପରୀକ୍ଷାକୁ ଆଉ ମାତ୍ର ଗୋଟିଏ ମାସ ରହିଲା। ଏତେ ଜଲଦି ଯଦି ସରକାର ଏଭଳି ନିଷ୍ପତ୍ତି ନେବେ ତେବେ ପରୀକ୍ଷାରେ ପାସ୍ ହେବା କଷ୍ଟକର। ସରକାର ଏ ନିୟମକୁ ଆର ବର୍ଷଠାରୁ ଲାଗୁ କରନ୍ତୁ।”ଅନ୍ୟପଟେ ଆଉ କେତେକ ଛାତ୍ର କହିଛନ୍ତି ଯେ ଏପର୍ଯ୍ୟନ୍ତ ପାଠପଢ଼ା ଶେଷ ହୋଇନି। ପିଲାମାନେ ମଧ୍ୟ ଏଭଳି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିନାହାନ୍ତି, ତେଣୁ ପରୀକ୍ଷାରେ ପାସ୍ ହୋଇ ଦ୍ୱିତୀୟ ବର୍ଷକୁ ଯିବେ କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏଥିସହିତ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାରେ ପାସ୍ ଫେଲ୍ ବ୍ୟବସ୍ଥାକୁ ଉଠାଇବା ସହ ଏହି ନିୟମକୁ ଆଗାମୀ ବର୍ଷ ଲାଗୁ କରାଯାଉ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ୍ ଫେଲ୍ ବ୍ୟବସ୍ଥାକୁ ଲାଗୁ କରିଥିଲେ। ଏହାଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୩୩ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି କୁହାଯାଇଥିଲା। ନଚେତ୍ ଛାତ୍ରଛାତ୍ରୀମାନେ ପୁଣିଥରେ ପ୍ରଥମ ବର୍ଷରେ ପାଠ ପଢ଼ି ପାସ୍ କରିବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଥିଲେ। ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

Comment