ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଜନତା ମଇଦାନରେ ସୋମବାରଠାରୁ ଶୁଭାରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରଥମ ଦିନ କୃଷି ସହ ଜଡ଼ିତ ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ପରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମଙ୍ଗଳବାର କୃଷି ମହୋତ୍ସବର ଦ୍ୱିତୀୟ ଦିନରେ ଅନେକ କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ କେତେବେଳେ କ’ଣ ରହିଛି?

ସକାଳ ୧୦ରୁ ଦିନ ୧ଟା – ପ୍ରଥମ ଅଧିବେଶନ

‘କୃଷି ଓଡ଼ିଶା- ୨୦୨୦’ର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଅଧିବେଶନରେ ଉନ୍ନତମାନର ଜଳସେଚନ ଓ କୃଷି ଉତ୍ପାଦନ ବୃଦ୍ଧି ଉପରେ ଆଲୋଚନା ରହିଛି। ଏହାର ଶୀର୍ଷକ ରହିଛି ‘ପରିବେଶ ଅନୁକୂଳ ସ୍ମାର୍ଟ ଟେକ୍ନୋଲୋଜି ଏବଂ ଜଳସମ୍ପଦର ପରିଚାଳନା’।

ଏହି ଆଲୋଚନାରେ ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ସ୍କାଏ ମାର୍ଟ ୱେଦର ସର୍ଭିସ ପ୍ରାଇଭେଟ୍ ଲିମିଟେଡର ମାର୍କେଟିଂ ଓ ସେଲ୍‌ସ ମୁଖ୍ୟ ଅଞ୍ଜନ ମଣ୍ଡଳ, ଜୈନ ଇରିଗେସନର ମାର୍କେଟିଂ ଓ ବସ୍‌ ଡେଭଲପମେଣ୍ଟର ଉପ-ସଭାପତି ସଙ୍ଗୀତା ଲାଢ଼ା, ଆରଏମ୍ଏସ୍ଆଇ ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପସଭାପତି ପୁଷ୍ପେନ୍ଦ୍ର ଜୋହରୀ ପ୍ରମୁଖ ଅଂଶଗ୍ରହଣ କରିବେ। ଏହି ଆଲୋଚନାକୁ ରିଜିଓନାଲ ସେଣ୍ଟର ଫର୍ ଡେଭଲପମେଣ୍ଟ କୋର୍ପରେସନର ଜଳ ଓ ଜଙ୍ଗଲ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ତପନ କୁମାର ପାଢ଼ୀ ପରିଚାଳନା କରିବେ।

ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୫ଟା – ଦ୍ୱିତୀୟ ଅଧିବେଶନ

ସେହିପରି ଦ୍ୱିତୀୟ ଅଧିବେଶନ ଅପରାହ୍‌ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ‘ଭାରତରେ ଲାଭଜନକ କୃଷି ପାଇଁ ପରିସଂସ୍ଥାନର ବିକାଶ’ ଶୀର୍ଷକକୁ ନେଇ ଆଲୋଚନା ହେବ। ଏହି ଆଲୋଚନାଚକ୍ରରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ସମସାମୟିକ ଜ୍ଞାନ କୌଶଳର ବ୍ୟବହାର, ଉନ୍ନତ କୃଷି ସାମଗ୍ରୀର ବ୍ୟବହାର, ମୃତ୍ତିକା ତଥା ପରିବେଶର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯିବ। ଏହାର ଅନ୍ୟତମ ଉଦ୍ଦେଶ୍ୟ ଚାଷକୁ ନିରନ୍ତର ଲାଭଜନକ ବୃତ୍ତି ଭାବରେ ଗଢ଼ି ତୋଳିବା

ଏହି ଆଲୋଚନାରେ ରାଜ୍ୟ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର, କଟକ ଆଇସିଏଆରର ନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ, ଆଇଏସ୍ଏଆରସିର ନିର୍ଦ୍ଦେଶକ ଡକ୍ଟର ଅରବିନ୍ଦ କୁମାର, ପାରାଦୀପ ଫସଫେଟ୍ ଲିମିଟେଡର ସିଓଓ ଆର୍ ଏସ୍ ଚୁଗ ପ୍ରମୁଖ ଅଂଶଗ୍ରହଣ କରିବେ। ଏହାସହ ‘ନିର୍ମାଣ’ର ସଚିବ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶାନ୍ତ ମହାନ୍ତି ଓ ‘ପ୍ରଦାନ’ର ରାଜ୍ୟ ସଂଯୋଜକ କୀର୍ତ୍ତି ଭୂଷଣ ପାଣି ପ୍ରମୁଖ ଯୋଗଦେବେ।

୨୧ ତାରିଖ କୃଷି ଓଡ଼ିଶାର ଦ୍ଵିତୀୟ ଦିନକୁ ‘ସମବାୟ ଏବଂ ବ୍ୟାଙ୍କିଙ୍ଗ’ ଦିବସ ଭାବେ ରଖାଯାଇଛି। ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା କୃତ୍ତିବାସ ପାତ୍ର, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟ ଯାଆଁଳ ଉତ୍ପାଦନ ଉନ୍ନୟନ ନିଗମର ଅଧ୍ୟକ୍ଷ ଅସିତ ପଟ୍ଟନାୟକ, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌ କେ ମଲ୍‌, ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ହେଡ୍‌ ଏସ୍‌ କୁମାର, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଉପସ୍ଥିତ ରହିବେ।

ସମବାୟ ବିଭାଗ ସଚିବ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେବାକୁ ଥିବା ବେଳେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିବେ।

Comment