ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅନ୍‌ଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
  • ୧୧୪ ପୌରାଞ୍ଚଳ ବାସିନ୍ଦା ପାଇବେ ସୁବିଧା
  • ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ
  • ଟିକସ ଆଦାୟ ବୃଦ୍ଧି ପାଇଁ ମ୍ୟୁନସିପାଲ୍‌ ପ୍ରିମିୟର ଲିଗ୍‌
  • ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ମହାନଗର ନିଗମ ସମେତ ୧୧୪ ପୌରାଞ୍ଚଳବାସୀଙ୍କ ପାଇଁ ଖୁସି ଖବର। ଏହି ପୌରାଞ୍ଚଳ ବାସିନ୍ଦା ଏଣିକି ଅନ୍‌ଲାଇନ୍‌ ଜରିଆରେ ସେମାନଙ୍କ ସମ୍ପତ୍ତି ଟାକ୍ସ ପଇଠ କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନ୍‌ଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

୧୧୪ ପୌରାଞ୍ଚଳ ବାସିନ୍ଦା ଏଣିକି କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ଇ-ୱାଲେଟ୍‌ ଏବଂ ୟୁପିଆଇ ମାଧ୍ୟମରେ ଟିକସ ପଇଠ କରିପାରିବେ। ନଗର ଉନ୍ନୟନ ବିଭାଗ ୫-ଟିରେ ସାମିଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମରେ Bhubaneswar.me ଜରିଆରେ ଟିକସ ପଇଠ ହୋଇପାରିବ। ସେହିପରି ଅନ୍ୟ ପୌରାଞ୍ଚଳ ବାସିନ୍ଦା www.ulbodisha.gov.in//property tax ରେ ଟିକସ ପଇଠ କରିପାରିବେ।

‘‘ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭଲ ପଦକ୍ଷେପ ନିଆଯାଇଛି। ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ପୌରାଞ୍ଚଳ ବାସିନ୍ଦା ଅନ୍‌ଲାଇନ୍‌ ଜରିଆରେ ସେମାନଙ୍କ ଟିକସ ପଇଠ କରିପାରିବେ। ଲୋକମାନଙ୍କ ହାତ ପାହାନ୍ତାରେ ସବୁ ସୁବିଧା ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସେବା ଦ୍ୱାରା ପୌରାଞ୍ଚଳ ବାସିନ୍ଦା ଉପକୃତ ହେବେ ବୋଲି ମୋର ବିଶ୍ୱାସ ରହିଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୌରାଞ୍ଚଳରେ ଟିକସ ଆଦାୟ ବୃଦ୍ଧି ପାଇଁ ମ୍ୟୁନସିପାଲ୍‌ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ) ଭଳି ଅଭିନବ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ୯ଟି ପୌରାଞ୍ଚଳର ଟିକସ ଅଧିକାରୀଙ୍କ ଭିତରେ ହେବ। ଶ୍ରେଷ୍ଠ ଟିକସ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏଥିପାଇଁ ଏମ୍‌ପିଏଲ୍‌ର ଟ୍ରଫିକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଉନ୍ନୟନ କମିସନର ସୁରେଶ ମହାପାତ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାତନ, ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଥିଲେ।

Comment