ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦଳୀୟ ସଙ୍ଗଠନରେ ମାହିର ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସୋମବାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଜାଣନ୍ତୁ ନଡ୍ଡାଙ୍କ ରାଜନୈତିକ ଯାତ୍ରା…

ସୋମବାର ଦିନ  ଅନୁଷ୍ଠିତ ବିଜେପି ସଭାପତି ନିର୍ବାଚନରେ ଜଗତ ପ୍ରସାଦ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦଳର ପୂର୍ବ ଅଧ୍ୟକ୍ଷ ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ନଡ୍ଡା କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହୋଇଛନ୍ତି।

ଲୋ-ପ୍ରୋଫାଇଲ ରହି ଆସିଥିବା ଓ ବଡ଼ ବଡ଼ ଭାଷଣବାଜିରୁ ନିଜକୁ ଦୂରରେ ରଖିଥିବା ନଡ୍ଡାଙ୍କର ହୁଏତ ନେତା ହିସାବରେ ଏତେ ବଡ଼ କରିସ୍ମା ନାହିଁ। କିନ୍ତୁ ଦଳର ସଙ୍ଗଠନ ଉପରେ ତାଙ୍କର ଦବଦବା ସବୁବେଳେ ରହି ଆସିଛି।

ହିମାଚଳ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ସେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟରେ ତିନି ଥର (୧୯୯୩, ୧୯୯୮ ଓ ୨୦୦୭)ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଥରେ ବିଧାୟକ ଦଳର ନେତା ବି ରହିଛନ୍ତି।

ନଡ୍ଡାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା ଯେବେ ପ୍ରେମକୁମାର ଧୁମାଲ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କ ପ୍ରଭାବ ବିସ୍ତାରିତ ହୋଇ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବିଜେପିର ଯେଉଁ କେତେଜଣ ବରିଷ୍ଠ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ନଡ୍ଡା ଜଣେ।

ଜେପି ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖ ଲୋକ ହିସାବରେ ଗଣାଯାଏ। ଏହି କାରଣରୁ ୧୯୯୧ରେ ମୋଦୀ ଦଳର ମହାସଚିବ ଥିବା ବେଳେ ନଡ୍ଡା ଯୁବ ମୋର୍ଚ୍ଚାର ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନ ଠାରୁ ଉଭୟେ ନିକଟବର୍ତ୍ତୀ ହୋଇ ଆସିଛନ୍ତି। ଯେତେବେଳେ ମୋଦୀ ଦଳ ଭିତରେ ଉପରକୁ ଉପରକୁ ଉଠିଛନ୍ତି  ନଡ୍ଡାଙ୍କର ବି ସେହିଭଳି ପଦୋନ୍ନତି ହୋଇ ଚାଲିଛି।

ନଡ୍ଡା ୨୦୧୦ରେ ଜାତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଏଣ୍ଟ୍ରି ମାରନ୍ତି। ସେହି ବର୍ଷ ସେ ନିତିନ ଗଡକରୀଙ୍କଠାରୁ ଦଳର ମହାସଚିବ ପଦ ହାସଲ କରନ୍ତି। ତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ନଡ୍ଡାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ବିଜେପି  କ୍ଷମତାକୁ ଫେରିବା ପରେ ଅମିତ ଶହ ଗୃହମନ୍ତ୍ରୀ ହେଲେ।

ଏହି ସମୟରେ ପ୍ରଶ୍ନ ଉଠିଲା ଦଳର ସଭାପତି ଦାୟିତ୍ୱ କିଏ ସାମ୍ଭାଳିବେ। ନଡ୍ଡା ହିଁ ମୋଦିଙ୍କ ବିଚାରରେ ଥିଲେ। ଏହି କାରଣରୁ ଜୁଲାଇ ୨୦୧୯ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନଡ୍ଡା ଆଉ ମନ୍ତ୍ରିମଣ୍ଡଳରେ ନରହି ଦଳର କାର୍ଯ୍ୟକାରୀ ସଭାପତି ହେଲେ।

ନଡ୍ଡାଙ୍କ ବଡ଼ ସଫଳତା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ସେ ଦଳକୁ ୬୨ ସାଂସଦ ଦେଇପାରିଲେ। ବିଏସ୍‌ପି ଓ ଏସ୍‌ପି ମେଣ୍ଟକୁ ଧରାଶାୟୀ କରିବା ସହ ଷାଠିଏରୁ ଅଧିକ ସାଂସଦ ଜିତିଥିବା କାରଣରୁ ବିଜେପି ରାଜନୀତିରେ ନଡ୍ଡାଙ୍କ ପ୍ରଭାବ ବଢ଼ିଚାଲିଲା। ଶାହ ଗୃହମନ୍ତ୍ରୀ ହେବା ସହ ନଡ୍ଡା ଦଳର ଅସ୍ଥାୟୀ ଦାୟିତ୍ୱ ନେଲେ ଓ ଏବେ ସ୍ଥାୟୀ ଦାୟିତ୍ୱ।

ଉଲ୍ଲେଖଯୋଗ୍ୟ ଯେ, ନଡ୍ଡା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶାଳକ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment