ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା-୨୦୨୦’ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ – ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ରାଜ୍ୟ ଓ ଦେଶ ପାଇଁ ଶୁଭସଙ୍କେତ।

‘‘ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କୃଷି ବଜେଟ୍‌ ଏବଂ କୃଷି ନୀତି ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଦିନକୁ ଦିନ ବହୁ ଯୁବ ଚାଷୀ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି। ଏହା ହେଉଛି ଆମ ରାଜ୍ୟ ପାଇଁ ଶୁଭ ସଙ୍କେତ। ଯେଉଁ ଯୁବ ଚାଷୀମାନେ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ। ଅଧିକ ସଂଖ୍ୟକ ଯୁବକମାନେ ଚାଷ ପ୍ରତି ଆଗ୍ରହୀ ହେଲେ ରାଜ୍ୟ ଏବଂ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ସାହୁ ଯୋଗ ଦେଇ ରାଜ୍ୟ ସରକାର ଚାଷୀ ଏବଂ ଚାଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା କହିଥିଲେ।

ମନ୍ତ୍ରୀ ଡକ୍ଟର ସାହୁ କହିଥିଲେ, ‘‘କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି। ଧାନ, ମାଣ୍ଡିଆ ଓ କପା ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମାଛ, ମାଂସ, କ୍ଷୀର, ଅଣ୍ଡା ଆଦି ଉତ୍ପାଦନରେ ମଧ୍ୟ ଓଡ଼ିଶା ବହୁତ ଅଗ୍ରଗତି କରିଛି। ଚାଷୀର ଆୟ ମଧ୍ୟ ବୃଦ୍ଧି ପାଇଛି। ୨୦୦୩-୦୪ରେ ଚାଷୀର ମୁଣ୍ଡ ପିଛା ଆୟ ୧୦୬୨ ଟଙ୍କା ଥିବା ବେଳେ ତାହା ଏବେ ୭ ହଜାର ୪୩୧ ଟଙ୍କାକୁ ବୃଦ୍ଧି ପାଇଛି। ଚାଷୀମାନଙ୍କ ମୁଣ୍ଡ ପିଛା ଆୟ ୭ ଗୁଣ ବୃଦ୍ଧି ପାଇଛି।’’

‘‘ଲାଭଜନକ କୃଷି ପାଇଁ ପ୍ରୟାସ ଥିମ୍‌କୁ ନେଇ ଚଳିତ ବର୍ଷ ‘କୃଷି ଓଡ଼ିଶା’ ଆୟୋଜନ କରାଯାଇଛି। ଏଥିପାଇଁ ଆମର ସ୍ଲୋଗାନ ହେଉଛି ‘ଲାଭଜନକ କୃଷି, ଚାଷୀଙ୍କୁ ମିଳିବ ଖୁସି’।’’

Krushi Odisha 2020ଡକ୍ଟର ସାହୁ ଆହୁରି କହିଥିଲେ, ‘‘ମାଣ୍ଡିଆ ଚାଷକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ମିଲେଟ୍‌ ମିସନ୍‌ ଜରିଆରେ ୧୪ଟି ଜିଲ୍ଲାର ୪୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମ ଥର ପାଇଁ ମାଲକାନଗିରିରେ ମାଣ୍ଡିଆ ମଣ୍ଡି କରାଯାଇଛି। ମାଣ୍ଡିଆ ଉତ୍ପାଦନରେ ଓଡ଼ିଶା ସାରା ଭାରତକୁ ନୂଆ ଦିଶା ଦେଖାଇଛି। ଏଣୁ ଚଳିତ କୃଷି ଓଡ଼ିଶାର ମାସ୍କଟ୍‌ ରହିଛି ମାଣ୍ଡିଆ।’’

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇଛି ଏବଂ ନିକଟରେ କମେଣ୍ଡସନ ପୁରସ୍କାର ମଧ୍ୟ ଓଡ଼ିଶାକୁ ମିଳିଛି।

‘‘କୃଷି କ୍ଷେତ୍ରକୁ ଆଗକୁ ନେବା ପାଇଁ ସ୍ୱତନ୍ତ୍ର ବଜେଟ୍‌ ଆଗତ କରାଯାଉଛି। ୨୦୦୮ରେ ଆମେ ସ୍ୱତନ୍ତ୍ର କୃଷି ନୀତି ପ୍ରଣୟନ କରିଥିଲୁ। ୨୦୧୩ରେ ଏହାକୁ ସଂଶୋଧନ କରାଯାଇଥିଲା। ୨୦୨୦ରେ ନୂଆ କୃଷି ନୀତି ‘ସମୃଦ୍ଧି’ ଆଣିଛନ୍ତି ରାଜ୍ୟ ସରକାର। ଏହା ହେଉଛି ଚାଷୀକୂଳ ପାଇଁ ଏକ ବିରାଟ ଅବଦାନ। ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ସହାୟତା ଦେଉଛନ୍ତି। ଫଳରେ ଚାଷ ପ୍ରତି ଯୁବପିଢ଼ି ଆକର୍ଷିତ ହେଉଛନ୍ତି’’, କହିଛନ୍ତି ଡକ୍ଟର ଅରୁଣ କୁମାର ସାହୁ।

Comment