ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ସୋମବାର କେଜରିୱାଲ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଲିର ଆୟୋଜନ କରିଥିଲେ। ହେଲେ ରାଲିରେ ଆସୁ ଆସୁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ସମୟ ହୋଇସାରିଥିଲା। ତେଣୁ ଠିକ୍ ସମୟରେ କେଜରିୱାଲ ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନଥିଲେ। ଏହାପରେ ସେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଥିଲେ।

ମଙ୍ଗଳବାର ମଧ୍ୟ କେଜରିୱାଲଙ୍କୁ ନିଜର ପ୍ରାର୍ଥିପତ୍ର ଦାଖଲ କରିବାକୁ ନାକେଦମ ହେବାକୁ ପଡ଼ିଥିଲା। ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ତାଙ୍କର ଟୋକନ ନମ୍ବର ୪୫ ରହିଥିଲା। ସେଥିପାଇଁ ସେ ଦୀର୍ଘ ୭ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ। ଏହାପରେ ଶେଷରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ କହିଛନ୍ତି ଯେ, ଦିଲ୍ଲୀରେ ଭଷ୍ଟ୍ରାଚାରକୁ ହରାଇବା ସହ ଦିଲ୍ଲୀକୁ ଆଗକୁ ନେଇ ଯିବାକୁ ସେ  ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଅନ୍ୟ ଦଳମାନେ କେବଳ ତାଙ୍କୁ ହରାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ସେ ଟୁଇଟ୍ କରି ଲେଖିଥିଲେ ଯେ ଗୋଟିଏ ପଟରେ ବିଜେପି, ଜେଡିୟୁ, ଏଲଜେପି, ଜେଜେପି, କଂଗ୍ରେସ ଓ ଆରଜେଡି ରହିଛନ୍ତି। ଅନ୍ୟପଟେ ସ୍କୁଲ୍, ହସ୍ପିଟାଲ, ପାଣି, ବିଜୁଳି ଓ ମହିଳାଙ୍କ ମାଗଣା ଯାତ୍ରା ରହିଛି। ଲୋକମାନେ କାହାକୁ ଭୋଟ ଦେବା ସେମାନେ ଜାଣିଛନ୍ତି ବୋଲି ସେ କହିଥିଲେ।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଯାକ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବାର ଶେଷଦିନ ରହିଥିଲା। ଫେବ୍ରୁଆରି ୮ ତାରିଖରେ ଭୋଟଗ୍ରହଣ ହେବା ସହ ୧୧ ତାରିଖରେ ଦିଲ୍ଲୀର ରେଜଲ୍ଟ ଆସିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Comment