ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱସ୍ତରରେ ପରିଚିତ ହେବ କଟକ ଏସ୍‌ସିବି। ୬ ଲେନ୍‌ ବିଶିଷ୍ଟ ହେବ କଟକ ରିଂ ରୋଡ୍‌।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି।

ସ୍ଥିତି ସମୀକ୍ଷା ପରେ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି, ‘‘ଏସ୍‌ସିବିକୁ ବିଶ୍ଵସ୍ତରୀୟ କରିବା ସହ ଏହାର ନବକଳେବର କରିବା ପାଇଁ ମାର୍ଚ୍ଚ ପହିଲାରୁ କାର୍ଯ୍ୟ ଆରମ୍ଭ ହେବ। ମହାନଦୀ ପଠାରେ ୪୨୪ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେବ।’’

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୁଧବାର 5-T ସଚିବ ଭିକେ ପାଣ୍ଡିଆନ୍‌ ଏସ୍‌ସିବି ମେଡିକାଲ ଓ ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍‌ ବୁଲି ଦେଖିଥିଲେ।

ଏସସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲ କରିବା ପାଇଁ ଆବଶ୍ୟକ ପଡୁଥିବା ଜମିରେ ଥିବା କିଛି ଘର ଉଚ୍ଛେଦ ହେବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାଟର ଓ ୧୩ଜଣ ଡାକ୍ତରଙ୍କ କ୍ୱାଟର ଉଚ୍ଛେଦ ହେବ। କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ।

ଅଧିଗ୍ରହଣରୁ ୨୫ଏକର ଜମି ସରକାରଙ୍କ ହାତକୁ ଆସିବ। ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି।

Comment