ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରେ ଜାଇକା କାମରେ ବିଳମ୍ବ ଯୋଗୁଁ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜାଇକା ପକ୍ଷରୁ ସାତ ବର୍ଷ ତଳେ ଆରମ୍ଭ ହୋଇଥିବା କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ। ଏହାସହ କୌଣସି ଆଖିଦୃଶିଆ ଅଗ୍ରଗତି ଆଖିରେ ପଡୁନାହିଁ ବୋଲି ହାଇକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି।

ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା ବା ଜାଇକା କଟକ ସହରରେ ନାଳନର୍ଦ୍ଧମାର ବିକାଶ ପାଇଁ ପ୍ରାୟ ୮୧୦ କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ରାଜି ହୋଇଥିଲେ। ଓଡ଼ିଶା ୱାଟର ସପ୍ଲାଇ ଓ ସୁଏରେଜ ବୋର୍ଡ଼ ଏହି ଦାୟିତ୍ୱ ନେଇଥିଲା। ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା କଟକର ନାଳ ନର୍ଦ୍ଧମା ବ୍ୟବସ୍ଥାକୁ ପୂରାପୂରି ସଜାଡ଼ିବା।

ଏତେ ଦିନ ଧରି କାର୍ଯ୍ୟ ଶେଷ ନହୋଇଥିବା କାରଣରୁ କୋର୍ଟ ଏହି ମାମଲାରେ ସୁଏରେଜ ବୋର୍ଡ଼କୁ ନୋଟିସ ଜାରି କରିଛନ୍ତି। ଫେବ୍ରୁଆରି ୩ ତାରିଖ ସୁଦ୍ଧା ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଜାଇକା ପ୍ରକଳ୍ପ ଅଧିକାରୀମାନଙ୍କୁ ମଧ୍ୟ କଡ଼ା ଶବ୍ଦରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଶୀଘ୍ର କାମ ସରିବ ବୋଲି ବାରମ୍ବାର ପ୍ରତିଶୃତି ଦେବା ସତ୍ତ୍ୱେ ଏହି ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

୨୦୧୨ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଇକା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଜୁଲାଇ ୨୦୧୬ ସୁଦ୍ଧା ଏହି କାମ ଶେଷ ହେବ ବୋଲି ଧରା ଯାଇଥିଲା। ପରେ ଏହାକୁ ସଂଶୋଧନ କରିବା ସହ ସେପ୍ଟେମ୍ବର ୨୦୧୮ରେ ଶେଷ ହେବ ବୋଲି କୁହାଯାଇଥିଲା।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ତିନୋଟି କଥା ଜାଣିବା ପାଇଁ ଚାହିଁଛନ୍ତି।ଏକ,କେଉଁ ୱାର୍ଡ ବା ଅଞ୍ଚଳରେ ଜାଇକା କାମ ପୂରା ଶେଷ ହୋଇଛି।ଦୁଇ,କେଉଁ ୱାର୍ଡରେ ଆଂଶିକ କାମ ହୋଇଛି ଓ ତିନି,ଏହି କାମ ଶେଷ ହେବା ପାଇଁ କେତେ ସମୟ ଲାଗିବ।

Comment