ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କ୍ଷତିଗ୍ରସ୍ତ ପରିବାରକୁ ୧ ଲକ୍ଷ ସହାୟତା ରାଶି
  • ଅନଧିକୃତ ଦୋକାନ ପାଇଁ ୩୦ ହଜାର ଟଙ୍କା
  • ଉଠା ଦୋକାନୀଙ୍କ ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି
  • କ୍ଵାର୍ଟର୍ସ ଖାଲି କରୁଥିବା ସରକାରୀ କର୍ମଚାରୀଙ୍କୁ ମଧ୍ୟ ସହାୟତା
  • ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ ଲକ୍ଷ ଟଙ୍କା ରାଶି
  • ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର

ଏସ୍‌ସିବି ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ଵସ୍ତରୀୟ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଏସ୍‌ସିବିକୁ ସଂପ୍ରସାରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ଯୋଜନାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଦିଆଯିବ। ଏହି ଟଙ୍କା ଦୁଇଟି କିସ୍ତିରେ ଦିଆଯିବ। ପ୍ରଥମେ ଗୋଟିଏ କିସ୍ତି ଦିଆଯିବ। ପରେ ଜମି ଖାଲି କଲା ପରେ ଦ୍ଵିତୀୟ କିସ୍ତି ମିଳିବ। ଏହାସହ ସ୍ଥାନାନ୍ତର ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ।

ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା ଓ ଉଠା ଦୋକାନୀଙ୍କ ପାଇଁ ୨୦ ହଜାର ଟଙ୍କା ସହାୟତା। ସେହିପରି ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ ଲକ୍ଷ ଟଙ୍କା, ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର ସହାୟତା ରାଶି ପ୍ରଦାନ କରାଯିବ।

ଏହାସହ ସରକାରୀ କ୍ଵାର୍ଟର୍ସ ଖାଲି କରୁଥିବା ସରକାରୀ କର୍ମଚାରୀଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। କର୍ମଚାରୀଙ୍କୁ ଘରଭଡ଼ା ସହ ୧୨ ମାସ ଯାଏଁ ମାସିକ ସହାୟତା ଦିଆଯିବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭ ହଜାର ୫୦୦, ଦ୍ଵିତୀୟ ଶ୍ରେଣୀଙ୍କୁ ୧୦ ହଜାର ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫୦୦ ଟଙ୍କା ସହାୟତା ରାଶି ଦିଆଯିବ।

Comment