ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ନିର୍ବାଚନ ରେସରେ ପଛରେ ପଡ଼ିଯାଇଛି କଂଗ୍ରେସ।

କିଏ ଦଖଲ କରିବ ଦିଲ୍ଲୀ? କେଉଁ ଦଳର ପ୍ରାର୍ଥୀ ବସିବେ ମୁଖ୍ୟମନ୍ତ୍ରୀ ଚୌକିରେ? ଦିଲ୍ଲୀ ଚୌକିକୁ ନେଇ ଏବେ ପ୍ରଚାର ମଇଦାନ ସରଗରମ ରହିଛି। ବିଜେପି ଓ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସିଂହାସନ ଅକ୍ତିଆର ପାଇଁ ଜୋରଦାର କସରତ କରୁଥିବାବେଳେ କଂଗ୍ରେସ ପଛରେ ପଡ଼ିଯାଇଛି।

ଯେଉଁ ଦିଲ୍ଲୀ ଦିନେ କଂଗ୍ରେସର ଗଡ଼ ବୋଲି କୁହାଯାଉଥିଲା ସେହି ଦିଲ୍ଲୀରେ ଏବେ କଂଗ୍ରେସ ହାତଗଣତି କେତୋଟି ସିଟ୍ ହାତେଇବ ବୋଲି ଚର୍ଚ୍ଚା ହେଉଛି।ପ୍ରଚାର ମଇଦାନରେ ଆପ୍ ଓ ବିଜେପିର ମାଳ ମାଳ ନେତାଙ୍କୁ ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସର ତୁଙ୍ଗ ନେତା କିନ୍ତୁ ଦିଲ୍ଲୀରୁ ଦୂରରେ ରହିଛନ୍ତି।ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି। ଏଥିପାଇଁ ବିଜେପି ଏବେ ମାରାଥନ ପ୍ରଚାର ଆରମ୍ଭ କରିଦେଇଛି। ସାରା ଦେଶରୁ ବିଜେପିର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଦିଲ୍ଲୀରେ ଥିବା ଓଡ଼ିଆ ଭୋଟରଙ୍କ ଭୋଟ ପାଇବା ପାଇଁ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ନେତାମାନେ ଘର ଘର ବୁଲି ବିଜେପିକୁ ଭୋଟ ଦେବା ପାଇଁ ଦିଲ୍ଲୀବାସୀଙ୍କୁ ଅପିଲ୍ କରୁଛନ୍ତି। ଏଥିସହ ନୂଆ ସଭାପତି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଦିଲ୍ଲୀ ଦୁର୍ଗ ଦଖଲ କରିବ ବୋଲି ବିଜେପି ଆଶା ବାନ୍ଧିଛି।ଅନ୍ୟପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରଚାର ମଇଦାନରେ ପଛରେ ପଡ଼ିନି। ଦିଲ୍ଲୀରେ ପୁଣିଥରେ କ୍ଷମତା ଦଖଲ କରିବା ପାଇଁ କଜରିୱାଲଙ୍କ ଆପ୍ କମର୍ କଷୁଛି। ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ଦିଲ୍ଲୀରେ ପ୍ରଚାର ମଙ୍ଗ ଧରିଛନ୍ତି। ଗତ ପାଞ୍ଚବର୍ଷରେ କରିଥିବା ବିଭିନ୍ନ ଯୋଜନାକୁ ନେଇ କେଜରିୱାଲ ଦିଲ୍ଲୀ ଭୋଟରଙ୍କ ପାଖକୁ ଯାଉଛନ୍ତି।

ଦିଲ୍ଲୀ ନିର୍ବାଚନର ଏହି ମୁକାବିଲାରେ ଢ଼େର ପଛରେ ପଡ଼ିଛି କଂଗ୍ରେସ। ଆଜିଯାଏ ଦିଲ୍ଲୀରେ କଂଗ୍ରେସ ସେଭଳି କୌଣସି ବଡ଼ ପ୍ରଚାର କରିନି। କୌଣସି ବି ଜାତୀୟ ସ୍ତରରେ ନେତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ରାଲିଟିଏ ମଧ୍ୟ ଆୟୋଜନ କରିନାହାନ୍ତି। ଯେଉଁ ଦିଲ୍ଲୀରେ କଂଗ୍ରେସ ସବୁଠାରୁ ଅଧିକ ସମୟ ଧରି ଶାସନ କରିଛି ସେହି ଦିଲ୍ଲୀରେ ଏବେ କଂଗ୍ରେସ କେତେ ସିଟ୍ ହାତେଇବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।

ଦିଲ୍ଲୀର ଦରବାରର ମୁଖ୍ୟମନ୍ତ୍ରୀ ଚୌକିରେ ତିନି ଦଳର ନେତା ମୁଖ୍ୟମନ୍ତ୍ରୀ ପଦରେ ବସିସାରିଛନ୍ତି। ୧୯୯୩ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏଠାରେ ବିଜେପିର ସରକାର ରହିଥିବାବେଳେ ଏହାପରେ ଦିଲ୍ଲୀର ଗଡ଼ ସମ୍ଭାଳିଥିଲା କଂଗ୍ରେସ। ଲଗାତାର ଭାବେ ୧୯୯୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ରାଜ୍ ଚାଲିଥିଲା। କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷୀତ ଲଗାତାର ତିନି ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସି ଶାସନ କରିଥିଲେ।ଏହାପରେ ୨୦୧୩ ରେ କିନ୍ତୁ ଦିଲ୍ଲୀ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଥିଲା। ନିର୍ବାଚନରେ ମାତ୍ର ୨୮ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟି କଂଗ୍ରେସର ହାତଧରି ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲା। ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ଏହି ସରକାର ବହୁ ଦିନ ପାଇଁ ତିଷ୍ଠି ନଥିଲା। ମାତ୍ର ୪୯ ଦିନରେ ଭାଙ୍ଗିଯାଇଥିଲା କେଜରିୱାଲଙ୍କ ସରକାର।

ଏହାପରେ ଦିଲ୍ଲୀରେ ୨୦୧୫ ପୁଣିଥରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଥର କିନ୍ତୁ ନିର୍ବାଚନରେ ଆପ୍ ସମସ୍ତଙ୍କୁ ଚକମା ଦେଇଥିଲା। ଦିଲ୍ଲୀର ମୋଟ ୭୦ଟି ଆସନରୁ ଆମ ଆଦମୀ ପାର୍ଟି ଏକାକୀ ୬୭ଟି ଆସନ ହାତେଇଥିଲା ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ କେଜରିୱାଲ। ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦୀ ମ୍ୟାଜିକ୍ ଦେଖାଯାଇଥିଲେ ମଧ୍ୟ ଦିଲ୍ଲୀରେ ଏହି ମ୍ୟାଜିକ୍ କାମ କରିନଥିଲା। ଏହି ନିର୍ଚାବନରେ ବିଜେପି କେବଳ ୩ଟି ସିଟ୍ ଜିତିଥିଲାବେଳେ କଂଗ୍ରେସର ହାତ ଖାଲି ପଡ଼ିଥିଲା।

ଏହାରି ମଧ୍ୟରେ କଂଗ୍ରେସର କମାଣ ରାହୁଲ ଗାନ୍ଧୀଙ୍କ ହାତକୁ ଆସି ପୁଣିଥରେ ସୋନିଆ ଗାନ୍ଧୀଙ୍କ ପାଖକୁ ଫେରିଯାଇଛି। ଦିଲ୍ଲୀରେ କଂଗ୍ରେସର ଚେହେରା ଥିବା ଶୀଲା ଦିକ୍ଷୀତଙ୍କ ପରଲୋକ ମଧ୍ୟ ଘଟିସାରିଛି। ତେଣୁ କଂଗ୍ରେସ ଦିଲ୍ଲୀ ନିର୍ବାଚନରେ କେତେ ସିଟ୍ ଜିତୁଛି ଆଉ ଦିଲ୍ଲୀରେ କାହା ସରକାର କ୍ଷମତାକୁ ଫେରୁଛି ତାହା ହିଁ ଦେଖିବାକୁ ବାକି ରହିଲା।

Comment