ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ଭୋଟ ପୂର୍ବରୁ ବିଜେପି ପାଇଁ  ଆସିଛି ଖୁସି ଖବର। ଭୋଟ ପୂର୍ବରୁ ଅକାଳୀ ଦଳ ଦିଲ୍ଲୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏନେଇ ବୁଧବାର ନିଜେ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ସୂଚନା ଦେଇଛନ୍ତି।

ସୁଖବୀର ସିଂହ କହିଛନ୍ତି, “ଆମେ କଦାପି ବିଜେପି ସହ ମେଣ୍ଟ ଭାଙ୍ଗିନୁ। ଅକାଳୀ ଦଳ ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ କେବଳ ଏକ ମେଣ୍ଟ ନୁହେଁ, ଏହା ଦୁଇ ଦଳର ରାଜନୀତିକ ଭାବନା ସହ ଜଡ଼ିତ। ଦୁଇ ଦଳର ମେଣ୍ଟ ପଞ୍ଜାବର ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରିବ।”ସେହିପରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଅକାଳୀ ଦଳ ବିଜେପିର ପୁରୁଣା ବନ୍ଧୁ। ଦିଲ୍ଲୀରେ ଅକାଳୀ ଦଳର ସାହାଯ୍ୟ ମିଳିବା ପରେ ବିଜେପି ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ଦିଲ୍ଲୀ ନିର୍ବାଚନ ପାଇଁ ସିଟ୍ ବୁଝାମଣା ନହେବା ହେତୁ ଅକାଳୀ ଦଳ ବିଜେପି ମେଣ୍ଟରୁ ଓହରି ଯାଇଥିଲା। ଏହାପରେ ଅକାଳୀ ଦଳ ଏକାକୀ ଦିଲ୍ଲୀ ନିର୍ବାଚନ ଲଢ଼ିବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଅକାଳୀ ଦଳ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଏହାସତ୍ତ୍ୱେ ମଧ୍ୟ ଦଳ ବିଜେପିକୁ ସମର୍ଥନ ଦେବ କି ନାହିଁ ସେ ନେଇ କୌଣସି ଘୋଷଣା କରିନଥିଲା। ବୁଧବାର କିନ୍ତୁ ଦଳ ଆନୁଷ୍ଠାନିକ ଭାବେ ବିଜେପିକୁ ସହଯୋଗ କରିବା ନେଇ ଘୋଷଣା କରିଛି।

ଦିଲ୍ଲୀ ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରି ୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏହାପରେ ଫେବ୍ରୁଆରି ୧୧ ତାରିଖରେ ଭୋଟଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।

Comment