ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ଆଗତ କରିବେ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍‌ର ଆକାର କିପରି ରହିଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍‌ ଆସିବା ପୂର୍ବରୁ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇ କ’ଣ କହିଛନ୍ତି ଜାଣନ୍ତୁ।

‘‘ବର୍ତ୍ତମାନ ଭାରତ ସରକାରଙ୍କ ଆଗରେ ଚାଲେଞ୍ଜ ବହୁତ ରହିଛି। ଗୋଟିଏପଟେ ସୀମାନ୍ତରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଥିବା ବେଳେ ଅନ୍ୟପଟେ ଜିଡିପି ହାର କମିବାରେ ଲାଗିଛି। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ଦେଖାଦେଉନି। ଏସବୁକୁ ଦେଖିଲେ ଲାଗୁଛି ଯେ ଭାରତ ଆର୍ଥିକ ସଙ୍କଟ ଭିତରେ ଗତି କରୁଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ଚାଲେଞ୍ଜିଙ୍ଗ୍‌ ବଜେଟ୍‌ ଆଣିବାକୁ ପଡ଼ିବ’’, କହିଛନ୍ତି ପ୍ରଫୁଲ୍ଲ ଘଡ଼ାଇ।

ସେ ଆହୁରି କହିଛନ୍ତି ଯେ, ଟିକସ ହାର ମଧ୍ୟ ଆଶନୁରୂପକ ବୃଦ୍ଧି ପାଉନି। ଜିଏସ୍‌ଟି ହାର ପ୍ରତି ମାସରେ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବା କଥା। ହେଲେ ତାହା ହେଉନି। ରପ୍ତାନୀ ବଢୁ ନଥିବାରୁ ଆମଦାନୀ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି। କର୍ପସ ଟାକ୍ସକୁ କମାଇ ଦେବା ସହ ସର୍‌ଚାର୍ଜକୁ ଉଠାଇ ଦେଲେ କେନ୍ଦ୍ର ସରକାର। ଏବେ ରପ୍ତାନୀ ନୀତି ଏବଂ ଜିଏସ୍‌ଟି ସ୍ଲାବରେ ଅନେକ ପରିବର୍ତ୍ତନ କଲେଣି ସରକାର। ହେଲେ ଜିଡିପି ହାର ବୃଦ୍ଧିରେ ଏହା ସହାୟକ ହେଉନି। ଅଭିବୃଦ୍ଧି ହାର କମିବା ଆର୍ଥିକ ସ୍ଥିତିର ଦୁର୍ବଳତାକୁ ସୂଚନା ଦେଉଛି। ଏଭଳି ଏକ ଆର୍ଥିକ ଦୁସ୍ଥିତି ଭିତରେ କେନ୍ଦ୍ର ସରକାର ବଜେଟ୍‌ ଆଣିବାକୁ ଯାଉଛନ୍ତି।

‘‘ଦେଶରେ ପୁଞ୍ଜି ନିବେଶ ମଧ୍ୟ ବଢୁନି। ଏଥର ବଜେଟରେ ପ୍ରତିରକ୍ଷାକୁ ଅଧିକ ଗୁରୁତ୍ୱ ଦେଲା ଭଳି ଲାଗୁଛି। ବେକାରୀ ସମସ୍ୟା, ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଚାଲେଞ୍ଜ ରହିବ’’, କହିଛନ୍ତି ପ୍ରଫୁଲ୍ଲ ଘଡ଼ାଇ।

Comment