ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦୁଇ ଦିନ ପରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସାଂସଦମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଏକ ଅନୁଧ୍ୟାନ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡ଼ିଶାର ମହିଳା ସାଂସଦଙ୍କ ଭୂମିକା ଏତେ ଆଖିଦୃଶିଆ ହୋଇ ପାରିନାହିଁ। କିଛି ବିଜେଡି ସାଂସଦ ତ ଲୋକସଭା ଅଧିବେଶନ ବେଳେ ଆଲୋଚନାରେ ଆଦୌ ଭାଗ ନେବା ବି ଦେଖାଯାଇନଥିଲା। ପ୍ରଶ୍ନ କାଳ ହେଉକି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ହେଉକି କୌଣସି ବିଲ ଆଣିବା ହେଉ ବିଜେଡି ସାଂସଦଙ୍କ ପ୍ରଦର୍ଶନ ଏତେ ଉତ୍ସାହ ଜନକ ହୋଇନାହିଁ।

ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କ ବୈଠକରେ ଯୋଗ ଦେଇ ଆଗାମୀ ଅଧିବେଶନରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଏହି ସାଂସଦମାନଙ୍କୁ କହିଥିଲେ। ଖବର ମିଳିଛି ଯେ ୬ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଜ ଦକ୍ଷତା ବୃଦ୍ଧି ପାଇଁ କୁହାଯାଇଥିଲା। ନବୀନ ପଟ୍ଟନାୟକ ଏହି ସାଂସଦମାନଙ୍କୁ ଅବଶ୍ୟ ଅଲଗା ଭେଟିଥିଲେ। ତୃତୀୟ ମହଲା ସହିତ ନିୟମିତ ଯୋଗାଯୋଗରେ ରହିବାକୁ ନବୀନ ସେମାନଙ୍କୁ କହିଥିବା ଜଣାପଡ଼ିଛି ।

ତଥ୍ୟ ଅନୁସାରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀଙ୍କ ଗୃହରେ ଶତ ପ୍ରତିଶତ ଉପସ୍ଥାନ ରେକର୍ଡ କରାଯାଇଛି। ତେବେ ତାଙ୍କର କୌଣସି ପ୍ରଶ୍ନ ତାରକା ଚିହ୍ନିତ ନଥିଲା। ପାର୍ଲାମେଣ୍ଟ ତଥ୍ୟରୁ ଜଣାପଡ଼ିଛି ଯେ ପ୍ରମିଳା ଗତ ବଜେଟ ଅଧିବେଶନରେ ମାତ୍ର ଦୁଇ ଥର କହିଥିଲେ। ତାଙ୍କର ୧୦ଟି ପ୍ରଶ୍ନ ଥିଲା ଅଣ ତାରକା ବିଶିଷ୍ଟ।

ଠିକ୍ ସେହିଭଳି ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯିଏ ଡାକ୍ତରରୁ ରାଜନେତା ହୋଇଛନ୍ତି ତାଙ୍କର ବି ଅଧିକାଂଶ ପ୍ରଶ୍ନ ଅଣ ତାରକା ଥିଲା। ରାଜଶ୍ରୀ ମାତ୍ର ୪ ଥର ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଗୃହରେ ତାଙ୍କର ଉପସ୍ଥାନ ଥିଲା ୬୩ ପ୍ରତିଶତ। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଯିଏ ଲୋକସଭାରେ କନିଷ୍ଠତମ ସାଂସଦ ଯଦିଓ ଗୃହରେ ୭୫ ପ୍ରତିଶତ ସମୟ ଦେଇଥିଲେ ବଜେଟ ଅଧିବେଶନରେ ସେ ଗୋଟିଏ ବି ପ୍ରଶ୍ନ ପଚାରିନଥିଲେ। ସେହିଭଳି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିଥିବା ଜଣାପଡ଼ିଛି। ଏହି ସବୁ ମହିଳା ସାଂସଦଙ୍କ ବ୍ୟତୀତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ଖୁବ୍ କମ୍‌ ଦିନ ଗୃହରେ ଉପସ୍ଥିତ ଥିଲେ। ରାଜ୍ୟସଭାରେ ନରେନ୍ଦ୍ର ସ୍ୱାଇଁଙ୍କ ପ୍ରଦର୍ଶନ ମଧ୍ୟ ଅତି ଖରାପ ଥବା ଜଣାପଡ଼ିଛି।

Comment