ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରମୁଖ ସପିଂ ମଲ୍ ଉତ୍କଳ ଗ୍ୟାଲେରିଆରେ ଏକ ୫ କିଲୋମିଟର ଲମ୍ବ ମାରାଥନ-ୟୁନିଟ ଓ୍ଵାକାଥନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉତ୍କଳ ଗ୍ୟାଲେରିଆ, ସୋ ଆମ ଆଇ (ସାଇ) ଫାଉଣ୍ଡେସନ ଟ୍ରଷ୍ଟ ଓ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ତରଫରୁ ଆୟୋଜନ କରାଯାଇଥିଲା।

ଏହି ଅବସରରେ ସାଂସଦ ଡକ୍ଟର ଅମର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଉତ୍କଳ ଗ୍ୟାଲେରିଆର ନିର୍ଦ୍ଦେଶକ ଶରଦ ବୈଦ, ଅମିତ ବୈଦ ଓ ପୂର୍ଣ୍ଣିମା ବୈଦ, ସାଇର ପ୍ରତିଷ୍ଠାତା ପିନାକୀ ମହାନ୍ତି, ସାଇର ସହ-ପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ, ରୋଟାରିଆନ ଜୟଶ୍ରୀ ମହାନ୍ତି, ପ୍ରଭୁଦତ୍ତ ସୁବୁଦ୍ଧି ଓ ସୁଭେନ୍ଦୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ଣ୍ଣିମା ବୈଦ କହିଛନ୍ତି, ‘‘ଆମ ସମାଜରେ ଗରିବ ଲୋକମାନଙ୍କୁ ଦୃଷ୍ଟିରେ ରଖି ଉତ୍କଳ ଗ୍ୟାଲେରିଆ ଓ ସୋ ଆମ ଆଇ ଏହି ପଦକ୍ଷେପ ନେଇଛନ୍ତି। ଏହି ଓ୍ଵାକାଥନ ମାଧ୍ୟମରେ ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ। ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ଯୋଡ଼ି ଓଡ଼ିଶାକୁ କ୍ଷୁଧାମୁକ୍ତ କରିହେବ।’’

ଏହି ଅବସରରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ସାଂସ୍କୃତିକ ଓ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ସାଇ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫୁଡ୍‌ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଉତ୍କଳ ଗ୍ୟାଲେରିଆ ଓ ସାଇ ପକ୍ଷରୁ ଶ୍ରଦ୍ଧା ଅର୍ପଣ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଫାଉଣ୍ଡେସନ ପକ୍ଷରୁ ସହରର ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି।

LEAVE A REPLY

Please enter your comment!
Please enter your name here