ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାଗ ନେଲେ ୧୫ ହଜାର ପ୍ରତିଯୋଗୀ
  • ୨୫ କିଲୋମିଟର ରାସ୍ତାରେ ବନ୍ଦ ରହିଥିଲା ଯାନବାହାନ ଚଳାଚଳ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଥିବା ପୂର୍ବତଟ ନୌସେନା ପକ୍ଷରୁ ଷଷ୍ଠ ଭାଇଜାକ ନେଭି ମାରାଥନ ଦୌଡ ପ୍ରତିଯୋଗିତା ଆୟୋଜନ ହୋଇଛି। ଏହାକୁ ବିଶାଖାପାଟଣା ସହର ରାମକୃଷ୍ଣ ସମୁଦ୍ରକୂଳରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜି ସକାଳ ୪ଟା ୧୫ ମିନିଟ ସମୟରେ ଆରମ୍ଭ ହୋଇଥିଲା।

ଏହି ମାରାଥନ ଦୌଡ଼କୁ ୪ଟି ବିଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ହେଲା ଫୁଲ ମାରାଥନ ୪୧.୧ କିଲୋମିଟର। ହାଫ ମାରାଥନ ୨୧.୧ କିଲୋମିଟର। ୧୦ କିଲୋମିଟର ଓ ୫ କିଲୋମିଟର। ଏହି ମାରାଥନ ଦୌଡ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଯୋଗୀଙ୍କ ପାଇଁ ଅନଲାଇନରେ ରେଜିଷ୍ଟ୍ରସନ କରିବା ପାଇଁ ଗତ ୨ମାସ ପୂର୍ବରୁ ନୌସେନା ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା।

ଶନିବାର ନେଭି ପକ୍ଷରୁ ମାରାଥନ ଦୌଡରେ ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ଲେଖାଏଁ ଦୌଡ ସାମଗ୍ରୀ ପ୍ରଦାନ କରାଯାଇଥିଲା। ମାରାଥନ ଦୌଡରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ସରକାରୀ, ବେସରକାରୀ, କେନ୍ଦ୍ରୀୟ କାର୍ଯ୍ୟାଳୟର କର୍ମଚାରୀ, ଆର୍ମି, ନୌସେନା, ବାୟୁସେନା ସମେତ ସାଧାରଣ ଜନସାଧାରଣ ଯୋଗ ଦେଇପାରିବାର ବ୍ୟବସ୍ଥା ରହିଥିଲା।

ଏଥିରେ କେବଳ ଭାରତ ସହ ଭାରତ ବାହାର ଦେଶର ପ୍ରତିଯୋଗୀମାନେ ଭାଗ ନେବାର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଆୟୋଜିତ ଏହି ମାରାଥନ ଦୌଡ ପ୍ରତିଯୋଗିତାରେ ମୋଟ ୧୫ ହଜାର ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳେ ବିଶାଖାପାଟଣାର ରାମ କୃଷ୍ଣ ସମୁଦ୍ର କୂଳ ନିକଟ ବିଶ୍ଵପ୍ରିୟା ହଲ ନିକଟରୁ ଆରମ୍ଭ ହୋଇଥିଲା। ପ୍ରଥମେ ୪୧.୧ କିଲୋମିଟରର ଫୁଲମାରାଥନ ଦୌଡ୪.୧୫ ମିନିଟରେ ଆରମ୍ଭ ହୋଇଥିଲା ଏଥିରେ ମୋଟ ୩୦୦ ଜଣ ପ୍ରତିଯୋଗୀ ରହିଥିଲେ।

ସେହିପରି ହାଫ ମାରାଥନ ୨୧.୧ କିଲୋମିଟର ଦୌଡ ୫ଟା ୧୫ମିନିଟରେ ଆରମ୍ଭ ହୋଇଥିଲା ଏଥିରେ ୨୦୦୦ ପ୍ରତିଯୋଗୀ ଭାଗନେଇଥିଲେ। ୧୦ କିଲୋମିଟର ଦୌଡ ୬ଟା ୧୫ରେ ଆରମ୍ଭ ହୋଇଥିଲା ଏଥିରେ ୩୩୦୦ ପ୍ରତିଯୋଗୀ ଭାଗ ନେଇଥିଲେ ଏବଂ ୫ କିଲୋମିଟର ମାରାଥନ ୭ଟା ୧୫ରେ ଆରମ୍ଭ ହୋଇଥିଲା।

ଏହି ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରେ ପ୍ରଥମ ୫ଜଣ ବିଜୟୀ ପ୍ରତିଯୋଗୀଙ୍କୁ ନଗଦ ଟଙ୍କା ସହ ନେଭି ତରଫରୁ ଗୋଟିଏ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହାସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ଭାରତୀୟ ପୂର୍ବତଟ ନୌସେନା ପକ୍ଷରୁ ଗୋଟିଏ ଲେଖାଏଁ ମେଡାଲ ପ୍ରଦାନ କରାଯାଇଛି।

ଭାଇଜାକ ନେଭି ମାରାଥନ ୨୦୧୯କୁ ପୂର୍ବତଟ ନୌସେନା ମୁଖ୍ୟ ଅତୁଳ କୁମାର ଜୈନ ଓ ଆନ୍ଧ୍ରପ୍ରଦେଶ ପୋଲିସ ଡିଜିପି ଦାମୋଦର ଗୌତମ ସ୍ଵାଂଗ ଉଦଘାଟନ କରିଥିଲେ। ଏହି ମାରାଥନ ଦୌଡ ପାଇଁ ବିଶାଖାପାଟଣା ପୋଲିସ ପକ୍ଷରୁ ରାମକୃଷ୍ଣ ସମୁଦ୍ରକୂଳଠାରୁ ଭିମିଲି ସମୁଦ୍ରକୂଳ ଯାଏଁ ୨୫ କିଲୋମିଟର ରାସ୍ତାକୁ ସକାଳ ୩ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା।

Comment