ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଏଲ.ଜି ପଲିମରସ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ବିଶାଖାପାଟଣା ସହରର ଗୋପାଳପାଟଣା ନିକଟ ଆର୍‌ଆର୍‌ ଭେଙ୍କଟପୁରମଠାରେ ଥିବା ଏଲଜି ପଲିମରସ କମ୍ପାନିରେ ଆଜି ସକାଳେ ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ଲୋକମାନେ ରାସ୍ତାରେ ଛଟପଟ ହୋଇ ଅଚେତ ହୋଇପଡ଼ିଥିଲେ।

୧୦୦ରୁ ଅଧିକ ଲୋକ ରାସ୍ତା ଉପରେ ପଡି ଛଟପଟ ହେଉଥିବାର ଦେଖାଯାଇଥିଲା। ଏହି ବିଷାକ୍ତ ଗ୍ୟାସ ଯୋଗୁଁ ଚର୍ମରେ କୁଣ୍ଡିଆ, ଆଖିରେ ଜ୍ୱାଳା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ସ୍ଥାନୀୟ ବାସିନ୍ଧା। ବର୍ତ୍ତମାନ ଯାଏଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଜଣେ ଛୋଟ ଛୁଆ ରହିଥିବା ସୂଚନା ମିଳିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କମ୍ପାନି ନିକଟ ୫ କିଲୋମିଟର ପରିଧିରେ ରହିଥିବା ସମସ୍ତ ବାସିନ୍ଧାଙ୍କୁ ଘର ଖାଲି କରି ଦୂରକୁ ଚାଲି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଦମକଳ ବାହିନୀ ସହ ନୌସେନାର କିଛି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବେଳେ ବର୍ତ୍ତମାନ ସୁଦ୍ଧା ୨୦୦ ଲୋକଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

୧୯୬୧ ମସିହାରେ ଏହି କମ୍ପାନି ବିଶାଖାପାଟଣାରେ ନିର୍ମିତ ହୋଇଥିଲା ପ୍ରଥମେ ଏଠାରେ ମଦ ପ୍ରସ୍ତୁତ କରାଯାଉଥିଲା। ସ୍ଥାନୀୟ ବାସିନ୍ଧାଙ୍କ ବିରୋଧ ପରେ ଗତ କିଛି ବର୍ଷ ଧରି ଏଥରେ ପ୍ଲାଷ୍ଟିକ ଉପକରଣ ନିର୍ମାଣ କରାଯାଉଥିଲା।

Comment