ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ସଂକ୍ରମଣ ଡରରେ ପାଖ ମାଡୁନାହାଁନ୍ତି ସମ୍ପର୍କୀୟ। ଦିନ ଦିନ ଧରି ଡାକ୍ତରଖାନାରେ ପଡ଼ିରହୁଛି ମୃତ ଶରୀର। ପରିବାର ସଦସ୍ୟଙ୍କୁ ଫୋନ କରି ଜଣାଇବା ପରେବି ନିରାଶ ହେଉଛନ୍ତି ଡାକ୍ତରଖାନା କର୍ତ୍ତୁପକ୍ଷ। ଏଭଳି କଠିନ ସମୟରେ ରୋଗୀମାନଙ୍କ ଶବସତ୍କାର କରିବା ପାଇଁ ଆଗେଇ ଆସିଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ଜନପ୍ରତିନିଧି ଭୁମାନା କରୁଣାକର ରେଡ୍ଡୀ। ସେ ନିଜେ ଦୁଇ ଦୁଇଥର କରୋନା ସଂକ୍ରମଣ ହୋଇ ମଧ୍ୟ ହାର୍ ମାନିନାହାଁନ୍ତି। ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି।କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାରା ଭାରତ ବର୍ଷରେ ହା ହା କାର ପରିସ୍ଥିତି ସୃଷ୍ଟି କରିଥିବାବେଳେ, ଏଥିରେ ଅଧିକ ପ୍ରଭାବିତ ହୋଇଛି ଆନ୍ଧ୍ରପ୍ରଦେଶ। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ, ମୃତ୍ୟୁ ସଂଖ୍ୟା ବି କମିବାରେ ନାଁ ଧରୁନାହିଁ। ତଥ୍ୟ ଅନୁସାରେ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲା ରେଣିଗୁଣ୍ଠା କୋଭିଡ୍ ହସ୍ପିଟାଲରେ ୧୫ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁକୁ ୫ଦିନ ହୋଇଯାଇଥିଲେ ହେଁ ସେମାନଙ୍କ ଶବସତ୍କାର କରିବା ପାଇଁ କେହି ପରିବାର ସଦସ୍ୟ ଡାକ୍ତରଖାନା ଆସିନଥିଲେ। ଶେଷରେ ଖବରପାଇ ହସ୍ପିଟାଲରେ ପହଞ୍ଚିଥିଲେ ତିରୁପତି ବିଧାୟକ ତଥା ୱାଇଏସ୍‌ଆର କଂଗ୍ରେସ ନେତା ଭୁମାନା କରୁଣାକର ରେଡ୍ଡୀ।ବିଧାୟକ ରେଡ୍ଡୀ ସେଠାରେ ପହଞ୍ଚି ପ୍ରଥମେ ମୃତକମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ କେହି ଶବସତ୍କାର ପାଇଁ ନଆସିବାରୁ, ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ଗୋଟିଏ ଏନଜିଓ ସଂସ୍ଥା ସହ ମିଶି ୧୫ଜଣଙ୍କର ଶବସତ୍କାର କରିଥିଲେ। ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିୟାନ ରିତିନୀତିରେ ରେଣିଗୁଣ୍ଠା ନିକଟ ମାମାନ୍ଦୁର ଜଙ୍ଗଲରେ ଏହିସବୁ ଶବସତ୍କାର କରାଯାଇଛି।

ବିଧାୟକ ରେଡ୍ଡୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ପୂର୍ବରୁ ତିରୁପତି ସହରରେ ମଧ୍ୟ ୨୧ଜଣ କରୋନା ରୋଗୀଙ୍କ ଶବସତ୍କାର କରିଥିଲେ ବିଧାୟକ ଭୁମାନା କରୁଣାକର ରେଡ୍ଡୀ।

Comment