ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ୟୁପିଏସସି ପରୀକ୍ଷା ଦେବା ଏବଂ ସେଥିରେ ସଫଳତା ପାଇବାର ସ୍ଵପ୍ନ ସମସ୍ତଙ୍କର ପୂରା ହୋଇନଥାଏ। ଏଥିପାଇଁ କଠିନ ପରିଶ୍ରମ, ତ୍ୟାଗ ଓ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଥାଏ। ଆନ୍ଧ୍ରପ୍ରଦେଶର ଏକ ପରିବାର, ଯେଉଁ ପରିବାରର ସଦସ୍ୟମାନେ ନିଜର ପରିଶ୍ରମ ବଳରେ ବହୁ ସଫଳତାର ଅଧିକାରୀ ହୋଇପାରିଛନ୍ତି। ପରିବାରର କେବଳ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ଚାରି ଚାରି ଜଣ ସଦସ୍ୟ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

କଥାରେ ଅଛି ଘରର ମୂଳଦୂଆ ଯଦି ଠିକ୍ ପଡ଼ିଥିବ, ତେବେ ଘର ମଜବୁତ୍ ଭାବେ ନିର୍ମାଣ ହୋଇପାରିବ। ସେହିପରି ଯଦି ଘରର ମୁଖ୍ୟ ଠିକ୍ ରାସ୍ତାରେ ଯାଇଥିବେ, ତାଙ୍କଠାରୁ ଅନ୍ୟମାନେ ଅନୁମପ୍ରାଣିତ ହେବେ। ଏହି ଉକ୍ତିକୁ ଠିକ୍ ପ୍ରମାଣିତ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅମୁଦାଲା ଲଙ୍କାର ଏକ ପରିବାର।ପରିବାରର ମୁଖ୍ୟ ଏମ. ବିଷ୍ଣୁ ବର୍ଦ୍ଧନ ରାଓ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ। ସେହିପରି ତାଙ୍କ ପୁଅ ଏମ. ହର୍ଷବର୍ଦ୍ଧନ, ଝିଅ ଏମ. ଦୀପିକା ଏବଂ ଜ୍ଵାଇଁ ବିକ୍ରାନ୍ତ ମଧ୍ୟ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଭିନ୍ନ ପଦବୀରେ ନିଜର ଦାୟିତ୍ଵ ତୁଲାଉଛନ୍ତି। ଏହି ପରିବାରକୁ ଜିଲ୍ଲାରେ ପୋଲିସ ପରିବାର ନାମରେ ସମସ୍ତେ ଜାଣନ୍ତି।

ଏମ. ବିଷ୍ଣୁ ବର୍ଦ୍ଧନ ରାଓଙ୍କ ପୁଅ ଏମ. ହର୍ଷବର୍ଦ୍ଧନ ଖୁବ୍ କମ୍ ବୟସରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ସେ ଅରୁଣାଚଳ ପ୍ରଦେଶରେ ନିଯୁକ୍ତି ପାଇଛନ୍ତି। ଥରେ ହର୍ଷ ବର୍ଦ୍ଧନ ନିଯୁକ୍ତି ପ୍ରକ୍ରିୟାରେ ଏକ ଖୁଲାସା କରି ଚର୍ଚ୍ଚାକୁ ଆସିଥିଲେ। ଏହି ଖୁଲାସା ପରେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହା ବ୍ୟତୀତ ହର୍ଷ ବର୍ଦ୍ଧନ ଦିଲ୍ଲୀରେ ଅତିରିକ୍ତ ଡିସିପି ପଦବୀରେ ଦାୟିତ୍ଵ ତୁଲାଇଛନ୍ତି। ଦେଶର ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସେ ବେଶ୍ ଜଣାଶୁଣା।ଝିଅ ଏମ. ଦୀପିକା। ଆନ୍ଧ୍ରପ୍ରଦେଶ ପୋଲିସରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ  ସେ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ସେ ୨୦୧୪ରେ ୟୁପିଏସି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ଡିଜିପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।

ଏକ ସାକ୍ଷାତକାରରେ ଦୀପିକା କହିଥିଲେ, ସେ ତାଙ୍କ ବାପା ଏବଂ ଭାଇଙ୍କୁ ଦେଖି ଆଇପିଏସ୍ ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ୨୦୧୪ମସିହାରେ ସଫଳତା ପାଇଥିଲେ।

ଦୀପିକା କର୍ଣ୍ଣାଟକ ବାସିନ୍ଦା ବିକ୍ରାନ୍ତ ପାଟିଲଙ୍କୁ ବିବାହ କରିଛନ୍ତି। ବିକ୍ରାନ୍ତ ମଧ୍ୟ ତାମିଲନାଡୁ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ। ତେବେ ବିବାହ ପରେ ସେ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ହୋଇଛନ୍ତି। ତେଣୁ ଗୋଟିଏ ପରିବାରର ୪ଜଣ ସଦସ୍ୟ ପୋଲିସ ଅଧିକାରୀ ଭାବେ ଦେଶ ସେବାରେ ନିୟୋଜିତ ଥିବାରୁ ଜିଲ୍ଲାରେ ଏମ. ବିଷ୍ଣୁ ବର୍ଦ୍ଧନ ରାଓଙ୍କ ପରିବାର ପୋଲିସ ପରିବାର ନାମରେ ପରିଚିତ ହୋଇପାରିଛି। ଏଭଳି ସଫଳତା ପାଇଁ ସମସ୍ତେ ତାଙ୍କ ପରିବାରର ପ୍ରଶଂସା ମଧ୍ୟ କରୁଛନ୍ତି।

Comment