ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ପୋଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ଶରତ ଚନ୍ଦ୍ର ମିଶ୍ର କିଛିଦିନ ହେବ ଡେଙ୍ଗୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ତାଙ୍କର ଦେହ ବହୁତ ଅସୁସ୍ଥ ହୋଇପଡ଼ିଲା। ଡେଙ୍ଗୁ ଯୋଗୁଁ ତାଙ୍କ ରକ୍ତରେ ପ୍ଲେଟଲେଟର ମାତ୍ରା କମିବାରେ ଲାଗିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶରତ ଚନ୍ଦ୍ର ମିଶ୍ର ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ। ଦୀର୍ଘଦିନ ଧରି ସେ ଭାରତର ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଅନାଲିସିସ୍ ୱିଙ୍ଗ (ଆରଏଡବ୍ଲୁ)ରେ କାମ କରିଥିଲେ। ଏହାପରେ ୧୯୯୨ ମସିହାରେ ସେ ଓଡ଼ିଶାର ପୋଲିସ ମହାନିର୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ପୋଲିସରୁ ଅବସର ନେବାପରେ ସାହିତ୍ୟ ଆଡ଼କୁ ମନବଳାଇ ଥିଲେ ଶରତ ଚନ୍ଦ୍ର ମିଶ୍ର। ବିଭିନ୍ନ ସାହିତ୍ୟ ରଚନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ସେହିପରି ଅବସର ପରେ ସେ ଭାରତୀୟ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି)ର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ଏହାସହ ସେ ଭୁବନେଶ୍ଵରର ବିଭିନ୍ନ ଡିଏଭି ସ୍କୁଲର ପରିଚାଳନା କମିଟିର ସଭାପତି ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଆଜି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।     

ମଙ୍ଗଳବାର ଶରତ ଚନ୍ଦ୍ର ମିଶ୍ରଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲକୁ ଅଣାଯିବ। ସେଠାରେ ଶୋକସଭା ପରେ ତାଙ୍କ ଶରୀରକୁ ବିଜେବି ନଗରସ୍ଥିତ ବାସଭବନକୁ ନିଆଯିବ। ଏହାପରେ ଅପରାହ୍ଣରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Tags: #SaratChandraMishra #EXDGP #Writer #IPSOfficer #OdishaPolice #Odisha

LEAVE A REPLY

Please enter your comment!
Please enter your name here