ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ସିଭିଲ୍ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଚଳିତବର୍ଷ ମୋଟ ୧,୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଉତ୍ତରପ୍ରଦେଶର ଆଦିତ୍ୟ ଶ୍ରୀବସ୍ତାବ ଏକ ନମ୍ବର ରାଙ୍କରେ ରହି ଟପ୍ପର ହୋଇଛନ୍ତି। ସେହିଭଳି ଓଡ଼ିଶାର ଅନିମେଶ ପ୍ରଧାନ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହାସହ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ହାସଲ କରିଛନ୍ତି।

୨୦୨୩ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏହି ପରୀକ୍ଷାରେ ଓଡ଼ିଶାର ପ୍ରଜ୍ଞାନନ୍ଦନ ଗିରି ୨୪ତମ ରାଙ୍କ ପାଇଥିବା ବେଳେ ଆୟୁଷି ପ୍ରଧାନ ୩୬ତମ ରାଙ୍କ ହାସଲ କରିଛନ୍ତି। ଏହାସହ ଜୟଶ୍ରୀ ପ୍ରଧାନ ୫୨ତମ ରାଙ୍କ ଏବଂ ଅଭିମନ୍ୟୁ ମଲ୍ଲିକ ୬୦ତମ ରାଙ୍କରେ ରହିଛନ୍ତି। ସେହିପରି ରାଜ୍ୟରୁ ଅନ୍ୟମାନଙ୍କ ମଧ୍ୟରେ ୧୧୦ତମ ରାଙ୍କରେ ଅମ୍ରିତାଂଶୁ ନାୟକ, ୧୧୫ତମ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ତମ ରାଙ୍କରେ ପଦ୍ମନାଭ ମିଶ୍ର ରହିଛନ୍ତି।

ଏହାସହ ଓଡ଼ିଶାର ଅନନ୍ୟା ରଣା ୨୮୦ ରାଙ୍କ, ତନିଶା ମିଶ୍ର ୩୦୩ ରାଙ୍କ, ରଶ୍ମି ପ୍ରଧାନ ୩୧୯ ରାଙ୍କ, ବିଶ୍ଵଜିତ୍ ପଣ୍ଡା ୩୪୩ ରାଙ୍କ, ପ୍ରିୟଙ୍କା ପ୍ରିୟଦର୍ଶିନୀ ୩୮୭ ରାଙ୍କ, ସନ୍ତୋଷ କୁମାର ପାତ୍ର ୪୦୯ ରାଙ୍କ, ସୌରଭ ଦାସ ୪୬୬ ରାଙ୍କ, ରାକେଶ କୁମାର ସାହୁ ୫୭୫ ରାଙ୍କ, ନୟନ ରଞ୍ଜନ ଦାସ ୫୮୧ ରାଙ୍କ ହାସଲ କରିଛନ୍ତି।  

ୟୁପିଏସସି ପରୀକ୍ଷାରେ ଚଳିତବର୍ଷ କୃତକାର୍ଯ୍ୟ ହୋଇଥିବା ୧,୦୧୬ ଜଣଙ୍କ ମଧ୍ୟରେ ୩୪୭ ଜଣ ସାଧାରଣ ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ୧୧୫ ଜଣ ଇଡବ୍ଲ୍ୟୁଏସ, ୩୦୩ ଜଣ ଓବିସି, ୧୬୫ ଜଣ ଅନୁସୂଚିତ ଜାତି  ଏବଂ ୮୬ ଜଣ ଅନୁସୂଚିତ ଜନଜାତି ବର୍ଗର ପରୀକ୍ଷାର୍ଥୀ ଏଥର ସିଭିଲ୍ ସର୍ଭିସ ପରୀକ୍ଷା ପାସ୍ କରିଛନ୍ତି।

ଏହି ପରୀକ୍ଷାରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ୧୮୦ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେହିଭଳି ଆଇଏଫଏସ ପାଇଁ ୩୭ ଜଣ ଏବଂ ଆଇପିଏସ ପାଇଁ ୨୦୦ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି। ଅବଶିଷ୍ଟ ପରୀକ୍ଷାର୍ଥୀ କେନ୍ଦ୍ରୀୟ ଗ୍ରୁପ ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତ ହେବେ। ଅନ୍ୟପଟେ ୩୫୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଅସ୍ଥାୟୀ ଭାବରେ ରିଜର୍ଭ ଲିଷ୍ଟରେ ରଖାଯାଇଛି।

ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ ୟୁପିଏସସିର ୱେବସାଇଟ www.upsc.gov.inରେ ଦେଖିପାରିବେ।

୨୦୨୩ ମସିହା ମେ’ ମାସ ୨୮ ତାରିଖରେ ୟୁପିଏସସି ସିଭିଲ୍ ସର୍ଭିସ ପାଇଁ ପ୍ରିଲିମିନାରି ପରୀକ୍ଷା ହୋଇଥିଲା। ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏଥିରୁ ୧୪ ହଜାର ୬୨୪ ଜଣ ପରୀକ୍ଷାର୍ଥୀ ମେନ ପରୀକ୍ଷା ପାଇଁ ଚୟନ ହୋଇଥିଲେ।

ଏହାପରେ ୨୦୨୩ ସେପ୍ଟେମ୍ବର ମାସରେ ହୋଇଥିବା ମେନ ପରୀକ୍ଷାରୁ ୨ ହଜାର ୯୧୬ ଜଣ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ଚୟନ କରଯାଇଥିଲା।

Tags: #UPSC #CivilservicesExam2023 #IAS #IPS #IFS #Exam

Comment