ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ):  କରୋନାର ଦ୍ୱିତୀୟ ଲହରୀରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ପଜିଟିଭ୍ କେସ୍ ବଢ଼ିବା ସହ ଆନ୍ଧ୍ରର ବିଭିନ୍ନ ହସ୍ପିଟାଲରେ ଏବେ ଅମ୍ଳଜାନର ଅଭାବ ଦେଖିବାକୁ ମିଳଛି। ଦେଶରେ ଯଥେଷ୍ଟ ପରିମାଣର ଅକ୍ସିଜେନ୍ ଉତ୍ପାଦନ ହେଉଥିଲେ ମଧ୍ୟ ଆବଶ୍ୟକୀୟ ଉପକରଣ ନଥିବାରୁ ତାହା ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରୁନି। ଏହାକୁ ଦୃଷ୍ଟିରେ ରଖି ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ (ଇଏନ୍‌ସି) ଦ୍ୱାରା ରାଜ୍ୟରେ ‘ଅକ୍ସିଜେନ୍ ଅନ୍ ହ୍ଵିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ଇଏନ୍‌ସି ଉପାଧ୍ୟକ୍ଷ ଏବି ସିଂ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ବିଶାଖାପାଟଣା ନାଭାଲ୍ ଡକୟାର୍ଡରେ କାର୍ଯ୍ୟରତ ବୈଷୟିକ ଦଳର କିଛି କର୍ମଚାରୀମାନେ ମିଶିକରି ଏହି ‘ଅକ୍ସିଜେନ୍ ଅନ୍ ହ୍ଵିଲ୍’ ପ୍ଲାଣ୍ଟର ନିର୍ମାଣ କରିଛନ୍ତି। ଏହି ଅକ୍ସିଜେନ ପ୍ଲାଣ୍ଟ ଗୋଟିଏ ଟ୍ରେଲରରେ ଲଗାଯାଇଛି ଯାହାକୁ ଅତି ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରଯାଇପାରିବ। ଏଥିସହ ଅଳ୍ପ ଜାଗାରେ କିମ୍ଵା ରାସ୍ତା ଉପରେ ରଖି ଅକ୍ସିଜେନ ପ୍ରସ୍ତୁତ କରାଯାଇ ହସ୍ପିଟାଲଗୁଡିକୁ ପ୍ରଦାନ କରାଯାଇପାରିବ।ଏହି ପ୍ଲାଣ୍ଟର ୧ ମିନିଟରେ ୧୦୦ ଲିଟର ଅକ୍ସିଜେନ ପ୍ରସ୍ତୁତ କରିବା କ୍ଷମତା ରହିଛି। ସେହିପରି ଯେକୌଣସି ହସ୍ପିଟାଲର ପାଇପଲାଇନ ସିଷ୍ଟମ ସହ ଏହା ସିଧାସଳଖ ସଂଯୋଗ ହୋଇ ଅକ୍ସିଜେନ ପ୍ରଦାନ କରିପାରିବ। ଏହାସଙ୍ଗରେ ଏହି ପ୍ଲାଣ୍ଟ ୧୬ଟି ବେଡ୍‌କୁ ଅକ୍ସିଜେନ ପ୍ରଦାନ କରିପାରିବ।

“ଛୋଟ ଛୋଟ ହସ୍ପିଟାଲ ଏବଂ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଯୋଗୁଁ ଏହି କରୋନା ମହାମାରୀ ସମୟରେ ଅକ୍ସିଜେନ ଯୋଗାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ରାଜ୍ୟ ସରକାରଙ୍କ ଏହି ଅସୁବିଧା ଦୂର କରିବାକୁ ଏହି ‘ଅକ୍ସିଜେନ୍ ଅନ୍ ହ୍ଵିଲ୍’ ପ୍ଲାଣ୍ଟର ନିର୍ମାଣ କରଯାଇଛି”, କହିଛନ୍ତି ଏଏନ୍‌ସି ଉପାଧ୍ୟକ୍ଷ ଏବି ସିଂ।ଅକ୍ସିଜେନ୍ ଅଭାବ ସମସ୍ୟାର ସମାଧାନ ପାଇଁ ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡରର ଏଭଳି ଏକ ଉଦ୍ୟମକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରଶଂସା କରିଛନ୍ତି।

Comment