ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣାରେ ରହୁଥିବା ଓଡ଼ିଆମାନେ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି ଶୀତଳଷଷ୍ଠୀ ଯାତ୍ରା।

ବିଶାଖାପାଟଣା, (ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଧୁମଧାମରେ ପାଳିତ ହୋଇଛି ଶୀତଳଷଷ୍ଠୀ ଯାତ୍ରା। ବିଶାଖାପାଟଣାରେ ବାସ କରୁଥିବା ଓଡ଼ିଆମାନେ ଦୁଇ ଦିନ ଧରି ଏହାକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିଛନ୍ତି। ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଶାଖାପାଟଣା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଉତ୍କଳ ସାଂସ୍କୃତିକ ସମାଜ ଏବଂ ଓଡ଼ିଆଙ୍କ ମିଳିତ ଉଦ୍ୟମରେ ଏହି ପର୍ବ ପାଳନ କରାଯାଇଥିଲା।

ବିଶାଖାପାଟଣାର ଦଶପଲ୍ଲା ହିଲ ନିକଟସ୍ଥ ଜଗନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଓଡ଼ିଆ ପରିବାର ଯୋଗଦେଇଥିଲେ। ଏହାସହ ୨୦୦ରୁ ଅଧିକ ଅଣ ଓଡ଼ିଆ ପରିବାର ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ।

ଜୁନ୍ ୧୬ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯାଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମେ ଶିବ- ପାର୍ବତୀଙ୍କ ନିର୍ବନ୍ଧ ସମ୍ପନ୍ନ ହେବା ପରେ ଦେବ ନିମନ୍ତ୍ରଣ, ବରାନୁଗମନ, ପାଣିଗ୍ରହଣ, ନଗର ପରିକ୍ରମା ଓ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷ ଶିବଙ୍କର ପିତା ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ ନକୁଳ ଚନ୍ଦ୍ର ବିଶ୍ୱାଳ। ମାତା ଭାବେ ସୁଶାନ୍ତି ବିଶ୍ୱାଳ ଦାୟିତ୍ୱ ସମ୍ପାଦନ କରିଥିଲେ। ସେହିପରି ମାତା ପାର୍ବତୀଙ୍କର ମାତା ଭାବେ ଶିବାନୀ ସାହୁ ଓ ପିତା ଭାବେ ରଘୁନାଥ ସାହୁ ଦାୟିତ୍ୱ ତୁଲାଇଥିଲେ।

ଏହି ଉତ୍ସବ ପାଇଁ ଗୋଟିଏ ସ୍ୱତନ୍ତ୍ର ବିବାହ ମଣ୍ଡପ ନିର୍ମାଣ କରାଯାଇଥିଲା। ସାରା ମନ୍ଦିରକୁ ସୁସଜ୍ଜିତ ଆଲୋକମାଳାରେ ସଜା ଯାଇଥିଲା। ଦେବ ଦମ୍ପତ୍ତିଙ୍କ ବାହାଘର ଦେଖିବା ପାଇଁ ବହୁ ଜନସମାଗମ ହୋଇଥିଲା।

୨୦୧୪ ମସିହାରେ ଶିବ ମନ୍ଦିର ନିର୍ମାଣ ହେବାଠାରୁ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଆୟୋଜନ କରାଯାଉଛି। ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାର କଳା, ସଂସ୍କୃତି ଓ ପର୍ବପର୍ବାଣି ସମ୍ପର୍କରେ ଅବଗତ କରିବା ପାଇଁ ଉତ୍କଳ ସାଂସ୍କୃତିକ ସମାଜ କରୁଥିବା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।

Comment