ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲେସିଆର ଏକ ପଣ୍ୟବାହୀ ଜାହାଜ ଯାହା ବିଶାଖାପାଟଣା ବନ୍ଦରକୁ ଯିବାର ଥିଲା ହଠାତ ଚିଲିକାରେ ଲାଗିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସମ୍ବିଧାନର ୩୭୦ ଧାରା ହଟିବା ପରେ  ଉପକୂଳ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଏହି ଜାହାଜ ଲାଗିବା ଘଟଣା ସ୍ଥାନୀୟ ଲୋକଙ୍କ  ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଖବର ମିଳିଛି ଯେ,ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଜାହାଜଟି ଭାଇଜାଗ ଯାଇ ନପାରି ଚିଲିକାରେ ଲାଗିଥିଲା। ଏଥିରେ୧୦ ଜଣ କର୍ମଚାରୀ ଥିବା ବେଳେ ସେଥିରୁ ଜଣେ ହେଉଛନ୍ତି ଭାରତୀୟ। ଅବଶିଷ୍ଟ ଲୋକମାନେ ମାଲେସିଆର। କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଏକ କଡ଼ ଯାଗାରେ ଜାହାଜଟି ଲାଗିଥିବା କଥା କୃଷ୍ଣ ପ୍ରସାଦ ଥାନା ଅଧିକାରୀ ସୁଧୀର ରଞ୍ଜନ ସାହୁ କହିଛନ୍ତି। ଚିଲିକା ହ୍ରଦକୁ ଲାଗି ରହିଥିବା ରାଜହନ୍ସ ଦ୍ୱୀପ ନିକଟରେ ଜାହାଜଟି ଏବେ  ଠିଆ ହୋଇଛି।

ଜାହାଜଟି ବଙ୍ଗୋପସାଗର କୂଳରେ ଝଡ଼ର ଶିକାର ହେବା ପରେ ଅକସ୍ମାତ ଚିଲିକା ଆଡକୁ ପଳାଇ ଆସିଥିଲା ବୋଲି ଜାହାଜଜର କ୍ୟାପଟେନ କହିଛନ୍ତି। ଜାହାଜର ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିବା ପାଇଁ ଇଞ୍ଜିନିଅର ମାନେ କାମରେ  ଲାଗି ପଡ଼ିଥିବା କୁହାଯାଉଛି। ସେମାନଙ୍କ ପାଖରେ ଥିବା କାଗଜ ପତ୍ର ଯାଞ୍ଚ କରିବା ପରେ ସବୁ ଠିକ୍ ଠାକ ଅଛି ବୋଲି କହିଛନ୍ତି ଶ୍ରୀ ସାହୁ। ଜାହାଜଟି ଅସୁବିଧାର ସମ୍ମୁଖୀନ ହୋଇ ଏଠାକୁ ଚାଲି ଆସିଛି ବୋଲି ଥାନା ଅଧିକାରୀ କହିଛନ୍ତି। ତ୍ରୁଟି ସଜାଡ଼ିଲା ପରେ ଖୁବ୍ ଶୀଘ୍ର ଜାହାଜଟି ତାର ଗନ୍ତବ୍ୟ ସ୍ଥାନକୁ ଚାଲିଯିବ।

Comment