ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ନିତିନ ଗଡ଼କରୀ। ଗୁରୁବାର ସେ ପୁରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ଏଠାରେ ସେ ନିଜ ସମ୍ବୋଧନରେ ରାଜ୍ୟରେ ଅନେକ ସଡ଼କ ଓ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ନିତିନ ଗଡ଼କରୀ ଗୁରୁବାର ଅପରାହ୍ଣରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ସେଠାରୁ ସେ ସ୍ଵତନ୍ତ୍ର ହେଲିକପ୍ଟରରେ ପୁରୀର ତାଳବଣିଆରେ ପହଞ୍ଚିଥିଲେ। ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଏହାପରେ ନିତିନ ଗଡ଼କରୀ ଶ୍ରୀମନ୍ଦିରରୁ କୃଷ୍ଣପ୍ରସାଦ ଯାଇ ସେଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

“ଆଜି ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦେଶର ସୁଖ ଓ ସମୃଦ୍ଧ ପାଇଁ କାମନା କରିଛି। ଭାରତକୁ ବିକଶିତ କରିବା ଦିଗରେ ଖଣିଜ ସମ୍ପଦ ଭରା ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ବିକାଶକୁ କେନ୍ଦ୍ରରେ ବିଜେପି ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି। ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଗତ ୧୦ ବର୍ଷରେ ଆମେ ଦେଶରେ ୫୦ ଲକ୍ଷ କୋଟି ଟଙ୍କାର କାର୍ଯ୍ୟ କରିଛୁ। ଏଥିରେ ଓଡ଼ିଶାରେ ମଧ୍ୟ ଅନେକ ପରିବହନ ଓ ଭିତ୍ତିଭୂମିର ବିକାଶ କରାଯାଇଛି”, କହିଛନ୍ତି ନିତିନ ଗଡ଼କରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଗାମୀ ୫ ବର୍ଷରେ ଓଡ଼ିଶାରେ ଅନେକ ବିକାଶ ପ୍ରକଳ୍ପର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଧାମରା ପୋର୍ଟ କନେକ୍ଟିଭିଟି ଏବଂ ପୁରୀ-ରାମେଶ୍ଵର ୪ ଲେନ୍‌ ରାସ୍ତା ହେବ। କଟକରୁ ପାରାଦୀପ ୪ ଲେନ୍‌ ରାସ୍ତା ୨,୩୭୦ କୋଟି ଟଙ୍କାରେ ନିର୍ମାଣ ହେବ। ସେହିପରି ୨୦୦ କୋଟି ଟଙ୍କାରେ ପାରାଦୀପରେ ଏକ ବିମାନବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଭୁବନେଶ୍ୱରରେ ରିଂ ରୋଡ୍ କାମ ଅକ୍ଟୋବର ମାସରୁ ଆରମ୍ଭ ହେବ। ଏହା ବ୍ୟତୀତ ରାଞ୍ଚି-ସମ୍ବଲପୁର ହାଇୱେ ଏବଂ ଚିଲିକାରେ ସେତୁ ନିର୍ମାଣ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇଛି, ନିର୍ବାଚନ ପରେ ଏହାର କାମ ଆରମ୍ଭ ହେବ।”

ନିଜ ସମ୍ବୋଧନରେ ନିତିନ ଗଡ଼କାରୀ ବିଭିନ୍ନ ସମସ୍ୟାକୁ ନେଇ ବିଜେଡିକୁ ସମାଲୋଚନା କରିଥିଲେ। ଏହାସହ ଚଳିତ ନିର୍ବାଚନରେ ପୁରୀରେ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଅନ୍ୟ ବିଧାନସଭା ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

Tags: #OdishaAssemblyElections2024 #NitinGadkari #ElectionCampaign #BJP #Puri #Odisha

LEAVE A REPLY

Please enter your comment!
Please enter your name here