ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିର୍ବାଚନମଣ୍ଡଳୀ ମଧ୍ୟରୁ ଆନନ୍ଦପୁର ଗୋଟିଏ। ସବୁବେଳେ ଦ୍ଵିମୁଖୀ ଲଢ଼େଇ ଦେଖୁଥିବା ଏହି ନିର୍ବାଚନମଣ୍ଡଳୀରେ ଏଥର କିନ୍ତୁ ଅଲଗା ପ୍ରକାର ଲଢ଼େଇ ହେବାକୁ ଯାଉଛି। ଏଥର ବିକାଶ, ବ୍ୟକ୍ତିତ୍ଵ ଓ ଦଳ ସବୁ ଆଧାରରେ ଲଢ଼େଇ ହେବ। ହେଲେ ଭୋଟ୍ ବିଭାଜନ ଫଳାଫଳ ନିର୍ଦ୍ଧାରଣ କରିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।

୧୯୮୦ରୁ କଂଗ୍ରେସର ଭରସା ଜୟଦେବ

କେବଳ ଆନନ୍ଦପୁର ନୁହେଁ, ଜାତୀୟସ୍ତରରେ ଜଣେ ପରିଚିତ ନେତା ହେଉଛନ୍ତି ଜୟଦେବ ଜେନା। ଏକାଧିକ ଥର ପିସିସି ସଭାପତି ହୋଇଛନ୍ତି। ସେ କଂଗ୍ରେସ ସରକାରରେ ବି ଏକାଧିକ ଥର ମନ୍ତ୍ରୀ ହୋଇଛନ୍ତି। ଆନନ୍ଦପୁର ଆସନରୁ ୧୯୮୦ରୁ ଜୟଦେବ କଂଗ୍ରେସର ପ୍ରାର୍ଥୀ ହୋଇ ଆସୁଛନ୍ତି। ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ରେ ସେ ନିର୍ବାଚନ ଜିତିଛନ୍ତି।

୨୦୦୦ ପୂର୍ବ ପର୍ଯ୍ୟନ୍ତ ଆନନ୍ଦପୁର କଂଗ୍ରେସର ଗଡ଼ ଥିଲା। ହେଲେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଏହା ପୁଣି ଅଣକଂଗ୍ରେସ ଦଳଙ୍କ ହାତକୁ ଯାଇଥିଲା। ୨୦୦୦ରୁ ୨୦୧୯ ମଧ୍ୟରେ ସେ ଥରେ ମାତ୍ର ଜିତିଛନ୍ତି। କିନ୍ତୁ ଏବେ ବି ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ଜୟଦେବ ଉଭୟ ପ୍ରାସଂଗିକ ହୋଇ ରହିଛନ୍ତି। ପୁରୁଣା ନେତା, ନିର୍ବାଚନ ପରିଚାଳନା ଓ ଭୋଟରଙ୍କୁ ବୁଝିବାର ଦକ୍ଷତା ରହିଛି। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ଥରେ ବାଜି ମାରିବାକୁ ସେ ରଣନୀତି ଚଳାଛନ୍ତି।

ସବୁଥର ପ୍ରାର୍ଥୀ ବଦଳାଉଛି ବିଜେଡି

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ହେବା ପରେ ଅନନ୍ଦପୁର ଆସନ ବିଜେପି ଭାଗରେ ପଡ଼ିଥିଲା। ବିଜେଡି ୨୦୦୯ ପରଠାରୁ ୨୦୨୪ ମଧ୍ୟରେ ଏଠାରୁ ୪ ଥର ନିର୍ବାଚନ ଲଢ଼ିଛି। ହେଲେ ସବୁଥର ପ୍ରାର୍ଥୀ ବଦଳାଇଛି। ଏଥର ପ୍ରାର୍ଥୀ ହୋଇଛନ୍ତି ଅଭିମନ୍ୟୁ ସେଠୀ। ୨୦୦୯ରେ ଭାଗିରଥୀ ସେଠୀ, ୨୦୧୪ରେ ମାୟାଧର ଜେନା ଓ ୨୦୧୯ରେ ଭାଗିରଥୀ ସେଠୀ ବିଜେଡି ଟିକେଟରେ ଜିତିଥିଲେ। ଅଭିମନ୍ୟୁ ପୂର୍ବରୁ ପଞ୍ଚାୟତ ରାଜନୀତିରେ ସକ୍ରିୟ। ତାଙ୍କ ପତ୍ନୀ ମଧ୍ୟ ବ୍ଲକ ଅଧ୍ୟକ୍ଷା ଅଛନ୍ତି। ବିଜେଡିର ସଂଗଠନ, ନବୀନ ପଟ୍ଟନାୟକଙ୍କ ଛବି ଓ ନିଜସ୍ଵ ସମର୍ଥନ ବଳରେ ଜିତିବାକୁ ଆଶା ରଖିଛନ୍ତି ଅଭିମନ୍ୟୁ।

ଚକ୍ରବ୍ୟୁହରେ ଅଭିମନ୍ୟୁ

ଏଥର ଅପ୍ରତ୍ୟାଶିତ ଭାବେ ଟିକେଟ ପାଇଛନ୍ତି ଅଭିମନ୍ୟୁ। ଦଳୀୟ ସଂଗଠନ ମଜଭୁତ ଥିବାରୁ ଏଥର ବିଜେଡି ସପକ୍ଷରେ ଜନମତ ଥିଲା। କିନ୍ତୁ ଅଭିମନ୍ୟୁଙ୍କୁ ଟିକେଟ ମିଳିବା ପରେ ବିଜେଡିରେ ବିଦ୍ରୋହ ଦେଖାଦେଇଛି। ଆଉଜଣେ ଆଶାୟୀ ବିଶ୍ଵନାଥ ପ୍ରତାପ ଜେନା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଟିକେଟ ଆଶାରେ ସେ ପ୍ରାୟ ୨ ବର୍ଷ ହେଲା ସଂଗଠନ ଚଳାଇ ଆସୁଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ସ୍ଵାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ବିଜେଡିର ଗୋଟେ ଗୋଷ୍ଠୀ ଏବେ ଖୋଲାଖୋଲି ବିଶ୍ଵନାଥଙ୍କୁ ସମର୍ଥନ କରୁଛନ୍ତି। ଆଉ କିଛି ଭିତରେ ଭିତରେ ବିଶ୍ଵନାଥଙ୍କ ପାଇଁ ଚେଷ୍ଟା କରୁଛନ୍ତି। ବିଜେଡିରେ ଏଭଳି ଅସନ୍ତୋଷ ପାଇଁ ଅଭିମନ୍ୟୁଙ୍କ ସପକ୍ଷରେ ଜନମତ ପ୍ରଭାବିତ ହୋଇଛି। ସେ କାହାକୁ ସନ୍ତୁଷ୍ଟ କରିବେ ଓ କାହାକୁ ଭରସା କରିବେ, ଚିନ୍ତାରେ ପଡ଼ିଯାଇଛନ୍ତି।

ବିଜେପିରେ ଆଲୋକଙ୍କ ପାଇଁ ଝାନ୍ସି ଅଡୁଆ

ଏଥର ଅନନ୍ଦପୁରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଆଲୋକ ସେଠୀ। ଏହା ତାଙ୍କର ତୃତୀୟ ଲଢ଼େଇ। ୨୦୧୪ରେ ସେ ନିର୍ବାଚନ ଲଢ଼ିଥିଲେ ଓ ୧୨,୬୪୪ ଭୋଟ୍ ପାଇଥିଲେ। ୨୦୧୯ରେ ପ୍ରଥମେ ଭାଗିରଥୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। କିନ୍ତୁ ଶେଷ ସମୟରେ ଭାଗିରଥୀ ବିଜେଡିକୁ ଡେଇଁ ସେଠାରୁ ଟିକେଟ ପାଇଥିଲେ। ବିଜେପି ଅନ୍ୟ ଉପାୟ ନ ପାଇ ଆଲୋକଙ୍କୁ ପ୍ରାର୍ଥୀ କରିଥିଲା।

ଅବଶ୍ୟ ଆଲୋକ ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ। ୨୦୧୯ରେ ଶେଷ ମୂହୁର୍ତ୍ତରେ ଟିକେଟ ମିଳିବାରୁ ସେ ଡେରିରେ ପ୍ରଚାର ଆରମ୍ଭ କରିଥିଲେ। ତଥାପି ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ବିଜେପିକୁ ମିଳିଥିଲା ୩୧,୫୫୪ ଭୋଟ୍। ଏଥର ବି ତାଙ୍କୁ ଟିକେଟ ମିଳିଛି, ସାଂଗଠନିକ ଅଭିବୃଦ୍ଧି ମଧ୍ୟ ହୋଇଛି। କିନ୍ତୁ ତାଙ୍କ ପାଇଁ ଝଡ଼ ଭଳି ପଶିଆସିଛନ୍ତି ଝାନ୍ସିରାଣୀ ଦାସ।

ଝାନ୍ସି ମଧ୍ୟ ବେଶ କିଛି ମାସ ହେଲା ଲୋକ ସମ୍ପର୍କ ବଢ଼ାଉଥିଲେ। ସମାଜସେବା ମାଧ୍ୟମରେ ଲୋକଙ୍କ ସହ ମିଶୁଥିଲେ। ପ୍ରଥମେ ସେ ବିଜେଡିରୁ ଟିକେଟ ଆଶାୟୀ ଥିଲେ। କିନ୍ତୁ ସେଠାରେ କିଛି ହେବାର ସମ୍ଭାବନା ନ ଦିଶିବାରୁ ଟିକେଟ ଆଶାରେ ବିଜେପିରେ ମିଶିଥିଲେ। କିନ୍ତୁ ବିଜେପି ଟିକେଟ ନ ଦେବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ଏହା ଆଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ଭୋଟ୍ ବିଭାଜନ ବଡ଼ ଫ୍ୟାକ୍ଟର

ଅନନ୍ଦପୁରରେ ବିଜେପି, ବିଜେଡିରୁ ଦୁଇ ଜଣ ସ୍ଵାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏଥର ଭୋଟ୍ ବିଭାଜନ ହେବା ନିଶ୍ଚିତ ବୋଲି ଆକଳନ କରାଯାଉଛି। ବିଶ୍ଵନାଥ ଯଦି ନାମାଙ୍କନ ପ୍ରତ୍ୟାହାର ନ କରନ୍ତି ତେବେ ବିଜେଡିରୁ କିଛି ଭୋଟ୍ ନେବା ନିଶ୍ଚିତ। ଯଦି ପ୍ରତ୍ୟାହାର କରି ନିଅନ୍ତି ତେବେ ବି ତାଙ୍କ ସାଂଗଠନିକ ସମ୍ପର୍କ ବିଜେଡି କାମରେ ଲାଗିବା ନେଇ ସନ୍ଦେହ ରହିଛି। 

ଅନ୍ୟପଟେ ବିଜେଡି ଛାଡ଼ି ବିଜେପିରେ ମଶିଥିବା ଝାନ୍ସି ମଧ୍ୟ ବିଜେଡିରୁ କିଛି ଭୋଟ୍ ନେବାର ସମ୍ଭାବନା ରହିଛି। ଏହା ସହିତ ବିଜେପିର ବି ଗୋଟେ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁଛି। ତେଣୁ ଏହା ଆଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଏସବୁ ଆଭ୍ୟନ୍ତରୀଣ ଲଢ଼େଇରୁ କଂଗ୍ରେସର ଜୟଦେବ ଜେନା ଫାଇଦା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଜଣେ ଟାଣୁଆ ବିଜେଡ଼ି ନେତା ତାଙ୍କୁ ସମର୍ଥନ କରୁଥିବା ଏବଂ ନିଜ ପରିବାରକୁ ଜୟଦେବଙ୍କ ପ୍ରଚାର ପାଇଁ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ଯଦି ଏହା ସତ ହୋଇ ଥାଏ ତେବେ କଂଗ୍ରେସ ନିଜ ଭୋଟ୍ ସହ ବିଜେଡି ଓ ବିଜେପି ଭୋଟ୍ ନେଇ ଭଲ ସ୍ଥିତିରେ ରହିପାରେ।

Tags: #OdishaAssemblyElections2024 #AnandapurAssemblyseat #BJD #BJP #Congress #Politics #Odisha

Comment