ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୦ ତାରିଖରେ ଓଡ଼ିଶାର ୫ଟି ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ସାମିଲ ଅଛି। ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏନେଇ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ୯,୧୪୮ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୧,୦୯୦ଟି ସହରାଞ୍ଚଳରେ ଓ ୮,୦୮୫ଟି ଗ୍ରାମାଞ୍ଚଳରେ ରହିଛି। ସେହିପରି ୧,୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହାସହ ୧,୦୪୧ଟି ବୁଥକୁ ସମ୍ପୂର୍ଣ୍ଣ ଭାବେ ମହିଳା ଏବଂ ୨୫ଟି ବୁଥକୁ ଭିନ୍ନକ୍ଷମ କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ତେବେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ଜଣ ପୁରୁଷ ଏବଂ ୬ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଏବଂ ୪୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଅନ୍ୟପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ମତଦାତାଙ୍କ ମଧ୍ୟରୁ ୪୦ ଲକ୍ଷ ୩୩ ହଜାର ୯୯୨ ଜଣ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ଜଣ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ସେହିପରି ମୋଟ ମତଦାତାଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୨ ଲକ୍ଷ ୧୩ ହଜାର ୧୨୯ ଜଣ ଭୋଟର ରହିଛନ୍ତି। ସେମାନେ ପ୍ରଥମ ଥର ପାଇଁ ଭୋଟ ଦେବେ। ଏହାସହ ୫୫,୮୮୨ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧,୮୧୨ ଜଣ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର ରହିଛନ୍ତି।

ଅନ୍ୟପଟେ ଏହି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ୧୦୨ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହେବେ। ସେଥିରୁ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗିର ଓ ବରଗଡ଼ରେ ୧୪, ଝାରସୁଗୁଡ଼ା ଓ ବୌଦ୍ଧରେ ୫, ସୋନପୁରରେ ୪ ଏବଂ ନୟାଗଡ଼ରେ ୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।

Tags: #IndianGeneralElections2024 #Voting #Voter #Odisha #ECI #India

LEAVE A REPLY

Please enter your comment!
Please enter your name here