ସତୀଶ ଶର୍ମା

ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ ଓରାମ ପୁଣି ବାଜି ମାରିବେ ନା ଦିଲ୍ଲୀପ ପିନ୍ଧିବେ ବିଜୟ ମୁକୁଟ, ଏପେଟେ ଗଡ଼କୁ ଫେରିବା ଆଶାରେ ରହିଛନ୍ତି ଜନାର୍ଦ୍ଦନ।

ସୁନ୍ଦରଗଡ଼ ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ବିଜେପି ପୁଣି ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ମଇଦାନକୁ ଓହ୍ଲାଇଛି। ସେହିପରି କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୁଏଲ, ଦିଲ୍ଲୀପ ଏବଂ ଜନାର୍ଦ୍ଦନଙ୍କ ମଧ୍ୟରେ ହେବ ରାଜନୈତିକ ଲଢ଼େଇ।

୧୯୯୮ରେ କଂଗ୍ରେର ଗଡ଼କୁ ଭାଙ୍ଗି ଥିଲେ ଜୁଏଲ

ଦିନେ କଂଗ୍ରେସର ଗଡ଼ ଥିବା ସୁନ୍ଦରଗଡ଼ ଏବେ ବିଜେପି ଦଲଖରେ ଅଛି। ୧୯୯୮ ନିର୍ବାଚନରେ ଜୁଏଲ ଓରାମ ବିଜେପିର ପ୍ରାର୍ଥୀ ହୋଇ ପ୍ରଥମ ଥର କଂଗ୍ରେସର ଏହି ଗଡ଼କୁ ଭାଙ୍ଗିଥିଲେ। ତା’ପରଠାରୁ ସେ କେବଳ ୨୦୦୯ ନିର୍ବାଚନକୁ ଛାଡ଼ି ସବୁଥର ଜିତି ଆସୁଛନ୍ତି। ପାଞ୍ଚ ଥର ସାଂସଦ ହେବା ପରେ ଜୁଏଲ ଓରାମ ଏବେ ଶେଷ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ତାଙ୍କର ମୁକାବିଲା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଏବଂ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀଙ୍କ ସହିତ ହେବାକୁ ଯାଉଛି।

ହକି ତାରକା ଦିଲ୍ଲୀପ ତିର୍କୀ ଦ୍ଵିତୀୟ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି। ୨୦୧୪ରେ ରାଜ୍ୟସଭା ସଦସ୍ୟ ଥିବାବେଳେ ଦିଲ୍ଲୀପ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଜୁଏଲ ଓରାମଙ୍କଠାରୁ ସେ ପ୍ରାୟ ୧୮ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ।

ହକିକୁ ଅସ୍ତ୍ର କରିଛନ୍ତି ଦିଲ୍ଲୀପ

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଲୋକସଭା ଆସନରେ କେବେବି ଜିତି ପାରିନାହିଁ ବିଜେଡି। ଏହି ଆସନରେ କଂଗ୍ରେସ ୭ ଥର ବିଜୟୀ ହୋଇଥିବାବେଳେ ବିଜେପିକୁ ୫ ଥର ମିଳିଛି ସଫଳତା। ଏଥର କିନ୍ତୁ ସୁନ୍ଦରଗଡ଼ ଲୋକସଭା ଆସନ ଜିତିବା ଲକ୍ଷ୍ୟରେ ରହିଛି ବିଜେଡି। ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି ଦଳ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ହକିର ସଫଳତାକୁ ଅସ୍ତ୍ର କରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ଦିଲ୍ଲୀପ ତିର୍କୀ। ଅନ୍ୟପଟେ ଖ୍ରୀଷ୍ଟିଆନ ଭୋଟ ଦିଲ୍ଲୀପଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି।

ହକି ସୁନ୍ଦରଗଡ଼କୁ ବିଶ୍ଵ ଦରବାରରେ ପରିଚିତି ପ୍ରଦାନ କରିଛି। ତେଣୁ ସୁନ୍ଦରଗଡ଼ବାସୀ ତାଙ୍କର ଏହି ରାଜନୈତିକ ଯାତ୍ରାରେ ସହଯୋଗ କରିବେ ବୋଲି ଆଶା ରଖିଛନ୍ତି ଦିଲ୍ଲୀପ।

କଂଗ୍ରେସର ଭରସା ଜନାର୍ଦ୍ଦନ

ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଏବେ ବିଜେପି ଦଖଲରେ ରହିଛି। ନିଜର ପୁରୁଣା ଗଡ଼କୁ ପୁଣି ଫେରିପାଇବାକୁ ଆଶା ରଖିଛି କଂଗ୍ରେସ। ସୁନ୍ଦରଗଡ଼ ଲୋକସଭା ଆସନ ଜିତିବାକୁ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଏହି କ୍ଷେତ୍ରରେ ଜନାର୍ଦ୍ଦନଙ୍କର ଲୋକ ସମ୍ପର୍କ ଭଲ ରହିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ଜନାର୍ଦ୍ଦନ।

ଦେଖିବାକୁ ବାକି ରହିଲା ସୁନ୍ଦରଗଡ଼ ଲୋକସଭା ଆସନ କାହାର ହେବ, ପୁଣି ଜୁଏଲ ବାଜି ମାରିବେ ନା ଦିଲ୍ଲୀପ ବିଜୟର ଖାତା ଖୋଲିବେ, ନା ପୁଣି ଗଡ଼ ଫେରିପାଇବ କଂଗ୍ରେସ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #Politics #OdishaPolitics #OdishaAssemblyElections2024 #SundargarhLokSabhaElection2024 #Odisha #BJD #BJP #Congress

LEAVE A REPLY

Please enter your comment!
Please enter your name here