ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଦିନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ରାତି ୮ଟାରେ ନରେନ୍ଦ୍ର ମୋଦୀଙ୍କର ଭୁବନେଶ୍ଵରଠାରେ ବିଶାଳ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ଭୁବନେଶ୍ଵରରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ’ ହେବ। ଏହି ସମୟରେ ଟ୍ରାଫିକ ପରିଚାଳନା ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ ପୋଲିସ।

ମେ’ ୧୦ ତାରିଖ, ଶୁକ୍ରବାର ଅପରାହ୍ଣ ୨ଟାରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ଯାନବାହନ ଯାତାୟତ କରିପାରିବ ନାହିଁ। ଏହି ସମୟ ମଧ୍ୟରେ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଏବଂ ବାଣୀବିହାରଠାରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନକୁ ଏହି ରାସ୍ତାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ଅପରାହ୍ଣ ୨ଟାରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ ଏବଂ ବାଣୀବିହାର ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’ ପାଇଁ ଭୁବନେଶ୍ଵରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଡ ସୋ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବାସିନ୍ଦାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଶେଷ ହେବା ପରେ ନରେନ୍ଦ୍ର ମୋଦୀ ରାଜଭବନରେ ରାତ୍ରୀଯାପନ କରିବେ। ମେ’ ୧୧ ତାରିଖରେ ନରେନ୍ଦ୍ର ମୋଦୀ କନ୍ଧମାଳ, ବଲାଙ୍ଗିର ଏବଂ ବରଗଡ଼ଠାରେ ବିଜେପିର ବିଶାଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Tags: #Politics #OdishaPolitics #AssemblyElections2024 #Odisha #PMNarenderaModi #BJP #MegaRoadShow

Comment