ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଦର୍ଶକଙ୍କୁ ଆକର୍ଷିତ କରୁଛି ୧୮ ଫୁଟ ଉଚ୍ଚର କୋଣାର୍କ ଚକ୍ର।

ବିଶାଖାପାଟଣା ସମୁଦ୍ର ବେଳାଭୂମିର କୋଷ୍ଟାଲ ଵାଟେରି ନିକଟରେ ନିର୍ମାଣ କରାଯାଇଛି ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚକ୍ର। ଏହି ଚକ୍ର ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହି ୧୮ ଫୁଟର ଚକ୍ରକୁ ଦେଖିବା ପାଇଁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗୁଛି।

ଏହି ୧୮ ଫୁଟର କୋଣାର୍କ ଚକ୍ରକୁ ବିଶାଖାପାଟଣା ସହରର ଶିଳ୍ପୀ ଜି.ଭି. ରମଣ ମୂର୍ତ୍ତି ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୬ ମାସ ଲାଗିଥିଲା।

ଜି.ଭି. ରମଣ ମୂର୍ତ୍ତି କହିଛନ୍ତି, “କୋଣାର୍କ ମନ୍ଦିରରେ ଥିବା ଚକ୍ରର ଉଚ୍ଚତା ୧୨ ଫୁଟ। ଏହାର କାରୁକାର୍ଯ୍ୟ ଅତି ସୁନ୍ଦର ଭାବରେ କରାଯାଇଛି। ବର୍ତ୍ତମାନର ଶିଳ୍ପୀମାନଙ୍କ ପକ୍ଷରେ ଏହି କାରୁକାର୍ଯ୍ୟ ନିର୍ମାଣ କରିବା ସମ୍ଭବପର ନୁହେଁ। କିନ୍ତୁ ବେଳଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି। ଏହାକୁ ସମୁଦ୍ର କୂଳରେ ସ୍ଥାପନ କରିବାକୁ ୪୫ ଦିନ ଲାଗିଥିଲା।”

ବିଶାଖାପାଟଣା ଗ୍ରେଟର ମ୍ୟୁନସିପାଲ କର୍ପୋରେସନ ସହାୟତାରେ ଏହା ତିଆରି କରାଯାଇଛି। ଏହାକୁ ସମୁଦ୍ର ଓ ସୂର୍ଯ୍ୟଙ୍କୁ ମୁହଁ କରି ବସାଯାଇଛି। ସୂର୍ଯ୍ୟ ଉଦୟ ବେଳେ ଏହା ଉପରେ ସୂର୍ଯ୍ୟ କିରଣ ଯେପରି ପଡ଼ିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏହି ଚକ୍ରକୁ କାଚତନ୍ତୁ ଓ ପ୍ଲାଷ୍ଟିକ ଖୋଦିତ କାରୁକାର୍ଯ୍ୟ ଦ୍ୱାରା ନିର୍ମାଣ କରାଯାଇଛି। ଏହାକୁ ରାମକୃଷ୍ଣ ସମୁଦ୍ର କୂଳର କୋଷ୍ଟାଲ ଵାଟେରି ନିକଟରେ ପ୍ରତିଷ୍ଠା କରାଯାଇଛି।

ପ୍ରଥମେ ଏହି ଚକ୍ର କୈଳାସ ଗିରି ଉପରେ ସ୍ଥାପନ ପାଇଁ ବିଶାଖାପାଟଣା ଗ୍ରେଟର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରେ ଏହାକୁ ସୌନ୍ଦଯ୍ୟକରଣ ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଥିଲା।ଏହି ଚକ୍ରରେ ଦେବୀ ଦୁର୍ଗା, ଗଣେଶଙ୍କ ସହ ବହୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ଘୋଡା ଉପରେ ସମ୍ରାଟ ଅଶୋକ ଯୁଦ୍ଧ କରୁଥିବା ଚିତ୍ର ରହିଛି।

ବର୍ତ୍ତମାନ ବିଶାଖାପାଟଣା ସହରକୁ ଆସୁଥିବା ପ୍ରତ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ୧୮ ଫୁଟର କୋଣାର୍କ ଚକ୍ର। ଏପରିକି ବିଶାଖାପାଟଣା ଗ୍ରେଟର ମ୍ୟୁନସିପାଲ କର୍ପୋରେସନ ପକ୍ଷରୁ ଏହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ଏହି ଚକ୍ରକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି। ପର୍ଯ୍ୟଟକମାନେ ଚକ୍ର ପାଖରେ ଛିଡ଼ା ହୋଇ ଫୋଟୋ ଉଠାଇ ମଜା ନେଉଛନ୍ତି।

ସ୍ମାର୍ଟସିଟି କାର୍ଯ୍ୟକ୍ରମ ଦ୍ୱାରା ବିଶାଖାପାଟଣା ଗ୍ରେଟର ମୁନିସିପାଲ କର୍ପୋରେସନ ନୂଆ କାମ ହାତକୁ ନେଇଛି। ଡଲଫିନ ପାହାଡ଼ଠାରୁ ଭିମିଲି ପର୍ଯ୍ୟନ୍ତ ୩୫ କିଲୋମେଟର ସମୁଦ୍ର ରାସ୍ତାର ଉନ୍ନତିକରଣ କରାଯିବା ସହ ପୃଥିବୀର ବିଖ୍ୟାତ କଳାକୃତିଗୁଡ଼ିକର ପ୍ରତିମୁର୍ତ୍ତି ନିର୍ମାଣ କରାଯିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ବିଶାଖାପାଟଣା ଆସୁଥିବା ପର୍ଯ୍ୟଟକ ଏହାର ଭରପୁର ଆନନ୍ଦ ଉଠେଇପାରିବେ ଓ ଭାରତର ବିଭିନ୍ନ କଳା, ସଂସ୍କୃତି ପ୍ରତି ଅବଗତ ହୋଇପାରିବେ।

Comment