ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତି କରିଛନ୍ତି। ଯୋଜନା ଅନୁସାରେ ରାଜ୍ୟରେ ଥିବା ୬ଟି ପ୍ରମୁଖ ବେଳାଭୂମି ପୁରୀ-କୋଣାର୍କ(ମେରାଇନ ଡ୍ରାଇଭ), ଗଞ୍ଜାମର ଗୋପାଳପୁର ଓ ପତିସୋନାପୁର ବେଳାଭୂମି, ବାଲେଶ୍ଵରର ତାଳସାରି-ଉଦୟପୁର, ଚାନ୍ଦିପୁର, ଜଗତସିଂପୁରର ପାରାଦୀପ ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ।

ମନ୍ଦିର ଓ ଐତିହ୍ୟସ୍ଥଳୀର ବିକାଶପରେ ଏବେ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଦିଗରେ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ତେଣୁ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଗୋଆ ଢ଼ାଞ୍ଚାରେ ରାଜ୍ୟର ୬ଟି ପ୍ରମୁଖ ବେଳାଭୂମିର ସୌନ୍ଦର୍ଯ୍ୟକରଣ କରିବାକୁ ନିଷ୍ପତ୍ତି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗାଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ। ଏଣିକି ପର୍ଯ୍ୟଟକମାନେ ଜଳକ୍ରୀଡ଼ା, ଖାଦ୍ୟପେୟ, ସଙ୍ଗୀତ, ସାଇକେଲ ଟ୍ରାକ୍, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ, ସୂର୍ଯ୍ୟୋଦୟ ଦେଖିବାର ସୁଯୋଗ ଇତ୍ୟାଦି ଅତ୍ୟାଧୁନିକ ସୁବିଧା ପାଇପାରିବେ। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି।ସେପଟେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯିବା ସହ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯିବ। ସନ୍ଧ୍ୟା ସମୟରେ ବେଳାଭୂମିକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସୁ ସଜ୍ଜିତ କରାଯିବ। ପରିବେଶ ଉପଯୋଗୀ ସାମଗ୍ରୀରେ ପର୍ଯ୍ୟଟକମାନଙ୍କ ପାଇଁ ଛୋଟ ଛୋଟ କୁଟୀର ନିର୍ମାଣ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ପର୍ଯ୍ୟଟନ ନିଗମ ଉନ୍ନୟନ ବା ଓଟିଡିସି ସହାୟତାରେ ଘରୋଇ ସଂସ୍ଥାମାନଙ୍କୁ ଏସବୁ କରିବା ପାଇଁ ସୁବିଧା ସୁଯୋଗ ଦିଆଯିବ। ଏଥିସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଓଟିଡିସି ଦ୍ଵରା ପରିଚାଳିତ ହେବ ବୋଲି ଓଟିଡିସିର ପରିଚାଳକ ପି.କେ ଚାନ୍ଦ ସୂଚନା ଦେଇଛନ୍ତି।

Comment